
ନୂଆପଡ଼ା, ୧୩ ମାର୍ଚ୍ଚ (ହି.ସ.)-
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାର ୨୨ତମ କିସ୍ତି ପ୍ରଦାନ ଅବସରରେ ଆଜି ନୂଆପଡ଼ା ଜିଲ୍ଲାରେ “ପିଏମ୍ କିଷାନ ଉତ୍ସବ ଦିବସ” ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଗୁୱାହାଟିରୁ ଆଭାସୀ ମାଧ୍ୟମରେ ପିଏମ୍ କିଷାନ ଯୋଜନାର ୨୨ତମ କିସ୍ତି ପ୍ରଦାନ କରିଥିଲେ।
ଏହା ଅନୁସାରେ ଓଡ଼ିଶାର ୩୪ ଲକ୍ଷରୁ ଅଧିକ ଚାଷୀ ଭାଇଭଉଣୀଙ୍କ ଖାତାକୁ ପ୍ରାୟ ୬୮୪ କୋଟି ଟଙ୍କା ସିଧାସଳଖ ହସ୍ତାନ୍ତର ହୋଇଛି। ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଏହାର ସିଧା ପ୍ରସାରଣକୁ ଉପସ୍ଥିତ ଚାଷୀ ଓ ଅଧିକାରୀମାନେ ଦେଖିଥିଲେ।
ନୂଆପଡ଼ା ଜିଲ୍ଲାରେ ଏହି ଯୋଜନା ଅନୁସାରେ ପ୍ରାୟ ୮୪,୫୦୩ ଜଣ ଚାଷୀ ୨୨ତମ କିସ୍ତି ର ଅର୍ଥ ଗ୍ରହଣ କରିଛନ୍ତି। ବ୍ଲକ୍ ଅନୁସାରେ ବୋଡେନରେ ୧୩,୬୯୦ ଜଣ, ଖରିଆରରେ ୧୫,୮୦୦ ଜଣ, କୋମନାରେ ୧୯,୯୫୬ ଜଣ, ନୂଆପଡ଼ାରେ ୧୪,୮୩୩ ଜଣ ଏବଂ ସିନାପାଲିରେ ୨୦,୨୨୪ ଜଣ ଚାଷୀ ଏହି ପିଏମ୍ କିଶାନ୍ ର ଲାଭ ପାଇଛନ୍ତି।ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ ରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ କେନ୍ଦ୍ରୀୟ ଯୋଜନା। ଏହାର ଉଦ୍ଦେଶ୍ୟ ହେଉଛି କୃଷକ ପରିବାରମାନଙ୍କ ଆୟ ବୃଦ୍ଧି କରିବା, କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ସାଧନ ସଂଗ୍ରହରେ ସହାୟତା କରିବା ଓ ଅନାବଶ୍ୟକ ଋଣ ଜାଲରୁ କୃଷକମାନଙ୍କୁ ସୁରକ୍ଷା ଦେବା। ଏହି ଯୋଜନା ଅନୁସାରେ ଯୋଗ୍ୟ ଚାଷୀ ପରିବାରମାନଙ୍କୁ ପ୍ରତିବର୍ଷ ୬,୦୦୦ ଟଙ୍କା ତିନୋଟି କିସ୍ତିରେ ସିଧାସଳଖ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଦିଆଯାଏ।ଏହି ଅବସରରେ ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନ, ଓୟୁଏଟିରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଗରିମାମୟ ଉପସ୍ଥିତି ରଖିଥିଲେ।
ନୂଆପଡ଼ାରେ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ନୂଆପଡା ବିଧାୟକଙ୍କ ପ୍ରତିନିଧି ରାମଲାଲ ହଂସ,ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ,ଭାନୁ ପ୍ରତାପସିଂ ମାଝୀ ଅତିଥି ଭାବରେ ଯୋଗଦେଇ ଥିଲେ l ଏହା ସହିତ କୃଷି ବିଭାଗର ସମସ୍ତ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ, କୃଷକ ପ୍ରତିନିଧି ଓ ଚାଷୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ