
ନୂଆଦିଲ୍ଲୀ, ୧୪ ମାର୍ଚ୍ଚ (ହି.ସ.)- ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସମ୍ପର୍କରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ୨୦୨୧ ମସିହାରେ ଚାଷୀମାନଙ୍କୁ ସି୨+୫୦ ପ୍ରତିଶତ ଆଧାରରେ ଆଇନଗତ ଏମଏସପି ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ।
ଶନିବାର ଦିନ ସୋସିଆଲ ମିଡିଆରେ ଲୋକସଭାରେ ପଚରାଯାଇଥିବା ଏକ ପ୍ରଶ୍ନ ସେୟାର କରି ରାହୁଲ ଗାନ୍ଧୀ ସରକାରଙ୍କୁ ପଚାରିଛନ୍ତି ଯେ, ସରକାର କ’ଣ ୨୦୨୧ ମସିହାରେ ପ୍ରତିବାଦକାରୀ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସମସ୍ତ ଫସଲ ପାଇଁ ଆଇନଗତ ଭାବରେ ଗ୍ୟାରେଂଟି ଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ କରାଯିବ । ସେ ପ୍ରଶ୍ନ କରିଛନ୍ତି ଯେ ଏହା କରାଯାଇଛି କି ନାହିଁ, ଏବଂ କାହିଁକି ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି । ଏହା ସହିତ ରାହୁଲ ଗାନ୍ଧୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଦେଶରେ ଉତ୍ପାଦନ ହ୍ରାସର ସମ୍ମୁଖୀନ ହେଉଥିବା କିଛି ଡାଲି ଏବଂ ତୈଳବୀଜ ଭଳି ଫସଲକୁ ସିଧାସଳଖ କ୍ରୟ ବିଷୟରେ ସରକାର ବିଚାର କରିଛନ୍ତି କି ନାହିଁ, ଏବଂ ଯଦି ହଁ, ତେବେ ଏହା ସମ୍ବନ୍ଧିତ ବିବରଣୀ କ’ଣ ଥିଲା ।
ରାହୁଲ ଗାନ୍ଧୀ ସରକାର ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ, ସରକାର ଏସବୁ ପ୍ରଶ୍ନର ସ୍ପଷ୍ଟ ଉତର ରଖିବାକୁ ଏଡାଇ ଯାଉଛନ୍ତି ଏବଂ ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁନାହାଁନ୍ତି । ସେ କହିଛନ୍ତି ଯେ, କୃଷକଙ୍କ ଅଧିକାର ଏବଂ ଏମଏସପି ବ୍ୟବସ୍ଥାକୁ ସୁରକ୍ଷା ଦେବା ପାଇଁ କଂଗ୍ରେସ ସଂସଦ ଭିତରେ ଏବଂ ବାହାରେ ସ୍ୱର ଉତୋଳନ କରିଚାଲିଥିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ