



ସମ୍ବଲପୁର,୧୫ ମାର୍ଚ୍ଚ(ହି.ସ.) – ଅତୀତର ଗୌରବମୟ ଇତିହାସ ହିଁ ଭବିଷ୍ୟତର ସମୃଦ୍ଧି ପାଇଁ ଶ୍ରେଷ୍ଠ ମାର୍ଗଦର୍ଶକ । ଇତିହାସର ଦର୍ପଣରେ ଆମର ସଭ୍ୟତା ଓ ସଂସ୍କୃତିକୁ ବୁଝି ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ଗଠନ ପାଇଁ ଏକ ନୂତନ ପଥ ପ୍ରସ୍ତୁତ କରିବା ଆଜିର ସମୟର ଆହ୍ୱାନ। ରବିବାର ସମ୍ବଲପୁରରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ଦ୍ୱାରା ଆୟୋଜିତ ପ୍ରାନ୍ତୀୟ ଅଧିବେଶନ “ଶିଖର-୨୦୨୬” ରେ ଯୋଗଦେଇ ଏହିପରି ଏକ ପ୍ରେରଣାଦାୟୀ ବାର୍ତା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତର ପ୍ରାଚୀନ ସଭ୍ୟତା ଠାରୁ ଆରମ୍ଭ କରି ୨୦୪୭ର ବିକଶିତ ଭାରତର ସଂକଳ୍ପ ପର୍ଯ୍ୟନ୍ତ, ମାରୱାଡ଼ି ସମାଜର ଭୂମିକା ଓ ଓଡ଼ିଶାର ଅର୍ଥନୈତିକ ପ୍ରଗତିକୁ ନେଇ ସେ ଏକ ଦୂରଦୃଷ୍ଟିସମ୍ପନ୍ନ ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର ଏହି ଅଧିବେଶନ କେବଳ ଏକ ସଭା ନୁହେଁ, ବରଂ ଏହା ଏକ ଏକତା, ସଂକଳ୍ପ ଏବଂ ଭବିଷ୍ୟତ ପାଇଁ ଏକ ନୂତନ ଦିଗଦର୍ଶନର ମଂଚ। ଭାରତ ଆଜି ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତି ହୋଇଥିବା ବେଳେ ଏହି ସଫଳତାରେ ସବୁ ନାଗରିକଙ୍କ ସହ ମାରୱାଡ଼ି ସମାଜର ବିଶେଷ ଅବଦାନ ଓ ଦାୟିତ୍ୱ ରହିଛି। ସେହିପରି ଭାରତୀୟ ସଂସ୍କୃତି, ପରମ୍ପରା ଓ ସଭ୍ୟତାକୁ ଆଗେଇ ନେବାରେ ମାରୱାଡି ସମାଜର ଯଥେଷ୍ଟ ଅବଦାନ ରହିଛି। ଅତୀତରେ ସୋମନାଥ ମନ୍ଦିର ଉପରେ ଆକ୍ରମଣ ଓ ଗୁଲାମୀ କାରଣରୁ ଆମେ ଆମର ଅନେକ ଗୌରବମୟ ଇତିହାସ ଭୁଲିଯାଇଥିଲେ। ମାତ୍ର ବର୍ତମାନ ଇତିହାସର ଦର୍ପଣରେ ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରିବାର ସମୟ ଆସିଛି। ବର୍ତମାନ ଆମେ ଏପରି ଏକ ସମୟରେ ଉପନୀତ ହୋଇଛେ, ଯେଉଁଠି ଆମର ଲକ୍ଷ୍ୟ ହୋଇଛି ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ କରିବା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ଦାୟିତ୍ୱ ନେବାକୁ ହେବ। ବିକଶିତ ଭାରତର ସ୍ୱପ୍ନ ବିକଶିତ ଓଡ଼ିଶା ବିନା ପୂରଣ ହୋଇପାରିବ ନାହିଁ । ବିକଶିତ ଭାରତ ଗଠନ କରିବାକୁ ହେଲେ ପ୍ରଥମେ ଓଡ଼ିଶାର ୫୦ ହଜାରରୁ ଅଧିକ ଥିବା ଗାଁକୁ ବିକଶିତ କରିବାକୁ ହେବ। ଯଦି ସମାଜର ଇଞ୍ଜିନ ଅର୍ଥାତ୍ ନେତୃତ୍ୱ ଓ ଅର୍ଥନୀତି ଶକ୍ତିଶାଳୀ ହୁଏ, ତେବେ ବିକାଶର ଗତି ଦ୍ରୁତ ହେବ। ତେଣୁ ଏ ଦିଗରେ ମାରୱାଡି ସମାଜ ମଧ୍ୟ ରେଳଡବାର ଇଞ୍ଜିନ ବୃହତର ଦାୟିତ୍ୱ ନେବା ଆବଶ୍ୟକ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ସମ୍ବଲପୁରରେ ଅନେକ ସମ୍ଭାବନା ରହିଛି, ତେଣୁ ଏହାକୁ ଏକ ‘ଏଜୁକେସନ ହବ୍’ ଓ ‘ଇକୋନୋମିକ ଜୋନ୍’ ଭାବେ ଗଢ଼ିତୋଳିବା ପାଇଁ ସମସ୍ତଙ୍କର ସାମୂହିକ ଆବଶ୍ୟକତା ରହିଛି। ସେହିପରି ସେ କହିଥିଲେ, ଭାରତର ପ୍ରକୃତ ପୁଞ୍ଜି ହେଉଛି ‘ଜ୍ଞାନ’। ପାଠପଢାକୁ ଗୁରୁତ୍ୱ ଦେଲେ ହିଁ ସମାଜରେ ବୈପ୍ଳବିକ ପରିବର୍ତନ ଆସିପାରିବ।
ଏହି ଅବସରରେ ଶ୍ରୀ ପ୍ରଧାନ ମାରୱାଡି ସମାଜକୁ ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ସହ ମାତୃଭାଷାକୁ ପ୍ରୋତ୍ସାହନ ଦେବା ଏବଂ ବିଶେଷ ପର୍ବ ପର୍ବାଣୀ ବା ଦିନମାନଙ୍କର ଅଙ୍ଗନବାଡ଼ି ଭଳି ଛୋଟ ଛୋଟ ପିଲାମାନଙ୍କୁ ଫଳ ଓ ପୋଷଣଯୁକ୍ତ ଖାଦ୍ୟ ବିତରଣ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଖାଦ୍ୟରେ ତେଲର ବ୍ୟବହାର ହ୍ରାସ କରି ସୁସ୍ଥ ରହିବା ପାଇଁ ପରାମର୍ଶ ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ