
ଜୟପୁର, 15 ମାର୍ଚ୍ଚ (ହି.ସ.): କୋରାପୁଟ ଜିଲ୍ଲା ସୁନାବେଡା ଅଞ୍ଚଳର ଜଣେ ସାପ ଧରାଳି ଆତ୍ମହତ୍ୟା କରିବାର ନୂଆ ଫର୍ମୁଲା ବ୍ୟବହାର କରୁଥିବା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ସୁନାବେଡା ପିଏଚଡି କଲୋନୀର ନବୀନ ମାଳି(୪୦) ଘରେ ବଚସା ହେବା ପରେ ସେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ବେକରେ ଫାସି ଦେଇ ନୁହଁ କି ପାଣିରେ ପଡି ମରିବା ପାଇଁ ନୁହଁ ସେ ସାପଧରାଳୀ ହୋଇଥିବା ଯୋଗୁଁ ସାପ କାମୁଡାରେ ମୃତ୍ୟୁ ହେବାକୁ ଚେଷ୍ଟା କରିଥିଲେ। ଭାଇରାଲ ହେଉଥିବା ଭିଡିଓରୁ ଜଣା ପଡୁଛି ଯେ ନବୀନ ଏକ ବିଶାକ୍ତ ସାପକୁ ନିଜ ହାତରେ ଧରି ତାର ବିଶକୁ ନିଜ ଦେହରେ ଭର୍ତ୍ତି କରି ପୁଣି ସେହି ସାପକୁ ଫୋପାଡି ଦେଇଛନ୍ତି। ଯାହା ଫଳରେ ସାପର ସମସ୍ତ ବିଶ ନବୀନଙ୍କ ଦେହରେ ପ୍ରବାହିତ ହୋଇଯାଇଛି। ଏହି ଘଟଣା ଦେଖିବା ପରେ ସ୍ଥାନୀୟ ଲୋକେ ନବୀନଙ୍କୁ କୋରାପୁଟ ମେଡିକାଲ ନେବା ପରେ ଆଜି ସକାଳ ସାଢେ ୫ଟା ସମୟରେ ଜୟପୁର ଉଷା ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ। ଗୁରୁତର ଅବସ୍ଥାରେ ଉଷା ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ତାଙ୍କୁ ଆଇସିୟୁରେ ରଖାଯାଇଛି। ବର୍ତ୍ତମାନ ନବୀନଙ୍କ ସ୍ବାସ୍ଥ୍ୟଅବସ୍ଥା ଭଲ ଥିବା ହସପିଟାଲ କର୍ତ୍ତୁପକ୍ଷ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି