
ନୂଆଦିଲ୍ଲୀ, 18 ମାର୍ଚ୍ଚ (ହି.ସ.)- ଦିଲ୍ଲୀର ଦ୍ୱାରକା ଜିଲ୍ଲାର ପାଲମ ଅଞ୍ଚଳର ରାମଚୌକ
ମାର୍କେଟ୍ରେ ଥିବା ଏକ ବହୁମହଲା ଭବନରେ ବୁଧବାର ସକାଳେ ଲାଗିଥିବା ନିଆଁରେ ଏପର୍ଯ୍ୟନ୍ତ ୯
ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୩ ଜଣ ନିର୍ଦ୍ଦୋଷ ଶିଶୁ କନ୍ୟା ମଧ୍ୟ ଅଛନ୍ତି।
ଏହି ଦୁର୍ଘଟଣାରେ ଅନେକ ଲୋକ ଦଗ୍ଧ ହୋଇଛନ୍ତି। ଜୀବନ ରକ୍ଷା ପାଇଁ କେତେକ ଲୋକ ଭବନରୁ ଡେଇଁ ପଡିଥିଲେ।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ଘଟଣାର ତଦନ୍ତ ମ୍ୟାଜିଷ୍ଟ୍ରେଟ୍ ଦ୍ୱାରା କରାଇବାକୁ ଆଦେଶ
ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆ ପ୍ଲାଟଫର୍ମ
‘ଏକ୍ସ’ରେ ପୋଷ୍ଟ କରି ଏହି ଘଟଣା ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ
ରିଲିଫ୍ କୋଷରୁ ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦-୫୦ ହଜାର ଟଙ୍କା
ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେ ଆହତମାନଙ୍କର ଶୀଘ୍ର ସୁସ୍ଥତା ପାଇଁ କାମନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଗୁପ୍ତା ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ ପାଲମରେ ଥିବା
ବହୁମହଲା ଆବାସିକ ଭବନରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ବିଷୟରେ ଜାଣି ମୁଁ ଅତ୍ୟନ୍ତ ବ୍ୟଥିତ।
ଜିଲ୍ଲା ପ୍ରଶାସନ, ଦିଲ୍ଲୀ ଅଗ୍ନିଶମ
ବିଭାଗ ଏବଂ ଦିଲ୍ଲୀ ପୁଲିସ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଘଟଣାର ତଦନ୍ତ ପାଇଁ
ମ୍ୟାଜିଷ୍ଟ୍ରେଟ୍ ତଦନ୍ତର ଆଦେଶ ଦିଆଯାଇଛି।
ପୁଲିସ୍ ଅନୁସାରେ ମୃତକମାନଙ୍କ ମଧ୍ୟରେ ଦୁଇଜଣ ପୁରୁଷ—ପ୍ରବେଶ (୩୩)
ଏବଂ କମଲ (୩୯), ଏବଂ ଚାରିଜଣ
ମହିଳା—ଆଶୁ (୩୫), ଲାଡୋ (୭୦), ହିମାଂଶୀ (୨୨) ଏବଂ
ଦୀପିକା (୨୮) ଅଛନ୍ତି। ଏହାଛଡ଼ା ତିନିଜଣ ଅପ୍ରାପ୍ତବୟସ୍କ କନ୍ୟା ମଧ୍ୟ ମୃତକ ତାଲିକାରେ
ଅଛନ୍ତି, ଯାହାଙ୍କ ବୟସ ୧୫
ବର୍ଷ, ୬ ବର୍ଷ ଏବଂ ୩
ବର୍ଷ। ୧୯ ବର୍ଷର ଜଣେ ଯୁବକଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେ ୨୫ ପ୍ରତିଶତ ଦଗ୍ଧ
ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା