
ଭଦ୍ରକ, ୨୩ ମାର୍ଚ୍ଚ (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକ ଦୋସିଙ୍ଗା ଠାରେ ଏକ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ଠିପି ଖୋଲା ମଦ ଦୋକାନ। ଏନେଇ ବାରମ୍ବାର ଅବକାରୀ କମିଶନରଙ୍କ ନିକଟରେ ଅଭିଯୋଗ ପରେ ମଧ୍ୟ ବେଧଡକ ଭାବେ ଚାଲିଛି ଏହି ଠିପିଖୋଲା ମଦ ଦୋକାନ। ପ୍ରାପ୍ତ ଖବର ଅନୁଯାଇ ଦୋସିଙ୍ଗା ବନ୍ଦର ନିକଟରେ ଥିବା ରାଜ ବାର (ଠିପିଖୋଲା ମଦ ଦୋକାନ)ଟି ସଂପୂର୍ଣ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି। ଏହି ବାରରେ ରେଷ୍ଟୁରାଂଟ ନଥିବାବେଳେ ବିଶୁଦ୍ଧ ପାନୀୟଜଳ ମଧ୍ୟ ଉପଲବ୍ଧ ହେଉ ନାହିଁ। ଏଭଳି ପରିବେଶରେ ଏହି ଠିପିଖୋଲା ମଦ ଦୋକାନରେ ଗ୍ରାହକ ମାନଙ୍କ ପାଇଁ ପାଇଖାନାର ସୁବିଧା ମଧ୍ୟ ନାହିଁ। ସବୁଠାରୁ ବଡ କଥା ରାଜ୍ୟ ଅବକାରୀ ଅଧିକାରୀଙ୍କ ନିୟମାନୁଯାଇ ଯେଉଁ ଗ୍ରାହକମାନେ ଏହି ମଦ ବାରରୁ ମଦ କିଣିନେବେ ସେମାନଙ୍କୁ କମ୍ପୁଟରୀକରଣ ବିଲ ଦେବାକୁ ନିୟମ ଥିବାବେଳେ ସଂପୃକ୍ତ ମାଲିକଏହି ନିୟମକୁ ସଂପୂର୍ଣ ପାଶୋରି ଦେଇଛନ୍ତି। ଅନ୍ୟ ପକ୍ଷରେ ଏହି ବାରରେ ୨୪ଘଂଟା କ୍ୟାମେରା ଉପଲବ୍ଧ ହେବାର ନିୟମ ଥିବାବେଳେ ସଂପୃକ୍ତ ମାଲିକ ମଧ୍ୟ ଏହି ନିୟମକୁ ଫୁ କରି ଦେଉଛନ୍ତି।ଏପରି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଗ୍ରାହକମାନେ ଏହି ସମସ୍ତ ସୁବିଧା ଉପଲବ୍ଧ କରାଇବାକୁ ଦାବୀ କରୁଥିବାବେଳେ ସଂପୃକ୍ତ ବାର ର କର୍ମଚାରୀ ଗ୍ରାହକମାନଙ୍କୁ ନାଲି ଆଖି ଦେଖାଉ ଥିବାନେଇ ଅବକାରୀ କମିଶନରଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି।ଏହି ସମସ୍ତ ସୁବିଧା ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ ନଥିବା କଥା ଚାନ୍ଦବାଲି ଉପଖଣ୍ଡ ଅବକାରୀ ଅଧିକାରୀଙ୍କୁ ପଚାରିବାରୁ ଏହା ଏକ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଥିବା କଥା ସ୍ୱାୀକାର କରିଛନ୍ତି। ତୁରନ୍ତ ସେ ଏହି ଅଭିଯୋଗ ବିଷୟରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିକ୍ରିୟା ରଖିଥିଲେ। ତୁରନ୍ତ ଏହି ରାଜା ଠିପି ଖୋଲା ମଦ ଦୋକାନ କୁ ଏହି ସ୍ଥାନରୁ ସ୍ଥାନାନ୍ତରିତ କରିବାକୁ ଏକ ସ୍ୱେଚ୍ଚାସେବୀ ସଙ୍ଗଠନ ମଧ୍ୟ ଅବକାରୀକ ମିଶନରଙ୍କ ନିକଟରେ ଦାବୀ ରଖିଛି। ଏଠାରେ ଉଲ୍ଲେଖଯୋଗ୍ୟ ଏହି ମଦବାର ଥିବାସ୍ଥାନ ଗ୍ରାମାଂଚଳ ରାସ୍ତା ପାଶ୍ୱର୍ରେ ହୋଇଥିବାବେଳେ ଏହି ରାସ୍ତା ଦେଇ ଯାତାୟତ କରିବାକୁ ଗ୍ରାମବାସୀ ତଥା ବିଦ୍ୟାଳୟ ଛାତ୍ରଛାତ୍ରୀ ନିଜ ଜୀବନକୁ ସୁରକ୍ଷିତ ମଣୁ ନାହାନ୍ତି। ତୁରନ୍ତ ଏହାକୁ ସ୍ଥାନାନ୍ତରିତ କରାଯିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି। ଏହି ବାର ସକାଳ ୧୦ଟାରୁ ରାତ୍ର ୧୦ଘଟିକା ଯାଏ ଖୋଲିବାର ବ୍ୟବସ୍ଥା ଥିବାବେଳେ ଏହା ଅଧିକାଂଶ ସମୟରେ ଖୋଲା ରହୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ