
ଜୟପୁର,୨୩ ମାର୍ଚ୍ଚ(ହି.ସ.) – ଗତ ଦୁଇ ସପ୍ତାହ ତଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଶନିବାର ସାପ୍ତାହିକ ହାଟରେ କିଛି ଯୁବକ ବ୍ୟବସାୟୀଙ୍କୁ ଭୟଭୀତ କରାଇ ଦାଦା ବଟି ମାଗୁଥିବା ଓ ଜଣେ ସାମ୍ବାଦିକଙ୍କ ମୋବାଇଲ ଭାଙ୍ଗି ଦେବା ମାମଲାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୧୫ ଦିନ ହେଲା ଯୁବକମାନେ ଘଟଣା ଘଟାଇବା ପରେ ଫେରାର ହୋଇଯାଇଥିଲେ, ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ପୋଲିସ ସୂଚନା ଦେଇଛି। ଚଳିତ ମାସ ସାତ ତାରିଖ ଦିନ ଶନିବାର ହାଟରେ ଦାଦା ବଟିକୁ ନେଇଁ ଝଗଡା ହଉଥିବା ସମୟରେ ଜଣେ ଗଣ ମାଧ୍ୟମ ପ୍ରତିନିଧି ଉକ୍ତ ଦୃଶ୍ୟ ନିଜ ମୋବାଇଲରେ ଉତୋଳନ କରୁଥିଲେ, ସେହି ସମୟରେ ଯୁବକ ମାନେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ସାମ୍ବାଦିକଙ୍କ ମୋବାଇଲ ଛଡେଇ ନେଇ ଭାଙ୍ଗି ଦେଇଥିଲେ। ପରେ ହାଟ ବ୍ୟବସାୟୀ ଓ ସାମ୍ବାଦିକ ଜଣଙ୍କ ଲକ୍ଷ୍ମୀପୁର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ଆକ୍ରମଣ କାରି ମାନେ ଲକ୍ଷ୍ମୀପୁରରୁ ଫେରାର ହୋଇ ଯାଇଥିଲେ। ପ୍ରାୟ ପନ୍ଦର ଦିନ ପରେ ସେମାନଙ୍କୁ ପୋଲିସ ଗିରଫ କରିଥିବାବେଳେ କେସ ନମ୍ବର ୩୪/୨୬ ୧୧୭(୨),୩୦୮(୪),୩୨୬(୪),୧୨୬(୨), ୩(୫)ପିଏନଏସରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ ଆଇ ରମେଶ କିନ୍ତାଲୁ ପ୍ରକାଶ କରିଛନ୍ତି। ଗିରଫ ଯୁବକମାନଙ୍କ ମଧ୍ୟ ରେ ଲକ୍ଷ୍ମୀପୁର ସଦର ର ଜୀ. ଶୁଭମ ଓ ଭଜମନ କୁଲଦୀପ ବୋଲି ପୋଲିସ ପ୍ରକାଶ କରିଥିବା ବେଳେ ଉଭୟଙ୍କ ଜାମିନ ନାମଞ୍ଜୁର ହୋଇଥିବା ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି