
ଇସଲମାବାଦ, ୨୭ ମାର୍ଚ୍ଚ (ହି.ସ.)। ପାକିସ୍ତାନର ବାଲୋଚିସ୍ତାନର ଝୋବ ଏବଂ ତାହାର
ଆଖପାଖ ଅଞ୍ଚଳରେ ଗୁରୁବାର ରାତିରେ ହୋଇଥିବା ଭୂକମ୍ପରେ ଲୋକେ ଭୟଭୀତ ହୋଇପଡିଥିଲେ । ଏହାର
ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରେକର୍ଡ ହୋଇଛି। ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି
ଆସିଥିଲେ ଏବଂ କୁରାନର ଆୟତ ପଢ଼ିବାକୁ ଲାଗିଥିଲେ। ଭୂକମ୍ପର କାରଣରୁ ଝୋବର କୌଣସି ଅଞ୍ଚଳରୁ
ଜୀବହାନି କିମ୍ବା ସମ୍ପତ୍ତିହାନିର କୌଣସି ସୂଚନା ମିଳିନାହିଁ।
ଦୁନିଆ ନ୍ୟୁଜ୍ର ଖବର ଅନୁଯାୟୀ, ଇସ୍ଲାମାବାଦସ୍ଥ ଜାତୀୟ ଭୂକମ୍ପ ନିରୀକ୍ଷଣ କେନ୍ଦ୍ର
କହିଛି ଯେ ଭୂକମ୍ପର କେନ୍ଦ୍ର ଝୋବରୁ ୧୧୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ୧୨ କିଲୋମିଟର
ଗଭୀରତାରେ ଥିଲା। ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାର କାର୍ଯ୍ୟଦଳ ସ୍ଥିତି ଉପରେ ନିକଟରୁ ନଜର
ରଖୁଛନ୍ତି।
ଏହା ପୂର୍ବରୁ ଗୁରୁବାର ସକାଳେ ମଧ୍ୟ ବାଲୋଚିସ୍ତାନରେ ଭୂକମ୍ପର
ଜୋରଦାର ଝଟକା ଅନୁଭବ କରାଯାଇଥିଲା। ଜାତୀୟ ଭୂକମ୍ପ ନିରୀକ୍ଷଣ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ
ଏହାର ତୀବ୍ରତା ୪.୬ ଥିଲା। ଭୂକମ୍ପର କେନ୍ଦ୍ର ବାଲୋଚିସ୍ତାନର ବାରଖାନରୁ ପ୍ରାୟ ୫୫ କିଲୋମିଟର
ଉତ୍ତରେ ଥିଲା ଏବଂ ଏହାର ଗଭୀରତା ପ୍ରାୟ ୯୨ କିଲୋମିଟର ତଳେ ରେକର୍ଡ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା