
ବହରାମପୁର, ୨୮ ମାର୍ଚ୍ଚ (ହି.ସ.)- ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଜଙ୍ଗିପୁରରେ ଶୁକ୍ରବାର ସନ୍ଧ୍ୟାରେ ରାମ ନବମୀ ଶୋଭାଯାତ୍ରାରେ ଘଟିଥିବା ହିଂସା ଘଟଣାରେ ପୋଲିସ ଶନିବାର ସକାଳ ସୁଦ୍ଧା ଆଠ ଜଣଙ୍କୁ ଗିରଫ କରିଛି । ରଘୁନାଥଗଞ୍ଜରେ ଧାରା ୧୪୪ ଲାଗୁ କରିବା ସହିତ, ପ୍ରଭାବିତ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପ୍ରଶାସନ ।
ପୋଲିସ ଅନୁଯାୟୀ, ଶୁକ୍ରବାର ଜଙ୍ଗିପୁର ଏବଂ ରଘୁନାଥଗଞ୍ଜ ଅଂଚଳରେ ରାମ ନବମୀ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ଚାହୁଁ ଚାହୁଁ ଏହା ହିଂସାରେ ପରିଣତ ହୋଇଥିଲା । ଉଭୟ ପକ୍ଷରୁ ପଥର ମାଡ ଆରମ୍ଭ ହୋଇଥିଲା । ଏହି ସମୟରେ ଅନେକ ଦୋକାନ ଏବଂ ସମ୍ପତି ଭଙ୍ଗାରୁଜା ହୋଇଛି । କିଛି ସ୍ଥାନରେ ପୋଡ଼ାଜଳା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ।
ରିପୋର୍ଟ ଅନୁଯାୟୀ, ରଘୁନାଥଗଞ୍ଜର ମ୍ୟାକେଞ୍ଜି ପାର୍କ ଅଭିମୁଖେ ଯାତ୍ରା ସମୟରେ ବଜା ଯାଉଥିବା ସଙ୍ଗୀତକୁ ନେଇ ସିସାତଲା ଅଂଚଳରେ ଶୋଭାଯାତ୍ରା ଅଂଶଗ୍ରହଣକାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାପରେ ଫୁଲତଲା ବୁଲାଣି ନିକଟରେ ପଥରମାଡ଼ ହୋଇଥିଲା, ଯେଉଁଠାରେ ୧୫୦ ରୁ ୨୦୦ ଲୋକଙ୍କ ଏକ ଭିଡ଼ ଶୋଭାଯାତ୍ରାକୁ ଟାର୍ଗେଟ କରିଥିଲା । ପରିସ୍ଥିତି ବିଗିଡ଼ିବା ସହିତ ଉତ୍ୟେକ୍ତ ଜନତା ନିକଟବର୍ତୀ ଅନେକ ଫଳ ଦୋକାନରେ ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦେଇଥିଲେ, ଯାହା ଫଳରେ ଅଂଚଳରେ ଉତେଜନା ଆହୁରି ବୃଦ୍ଧି ପାଇଥିଲା । ଘଟଣା ପରେ ବହୁ ସଂଖ୍ୟକ ପୋଲିସ ଏବଂ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଥିଲା । ଶନିବାର ସକାଳ ଠାରୁ ସମ୍ବେଦନଶୀଳ ଅଂଚଳଗୁଡ଼ିକରେ ନିରନ୍ତର ପାଟ୍ରୋଲିଂ କରାଯାଇଛି ଏବଂ ଶାନ୍ତି ବଜାୟ ରଖିବା ପାଇଁ ରୁଟ୍ ମାର୍ଚ୍ଚ କରାଯାଇଛି । ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ସ୍ଥିତି ବର୍ତମାନ ନିୟନ୍ତ୍ରଣାଧିନ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ