
• ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
• ଅଙ୍ଗ ପ୍ରତିରୋପଣ ଏବଂ କୃତ୍ରିମ ବୁଦ୍ଧିମତ୍ତା ପାଇଁ ଏକ ଆଞ୍ଚଳିକ ଉତ୍କର୍ଷ କେନ୍ଦ୍ର
ପ୍ରତିଷ୍ଠା କରିବ ଏମ୍ସ ଭୁବନେଶ୍ୱର
• ଚାରୋଟି ରାଜ୍ୟର ୩୦୦ ରୁ ଅଧିକ ଚିକିତ୍ସକଙ୍କ ଅଂଶଗ୍ରହଣ
ଭୁବନେଶ୍ୱର 30 ମାର୍ଚ୍ଚ (ହି.ସ.) : ଏମ୍ସ ଭୁବନେଶ୍ୱର ପକ୍ଷରୁ ଜାତୀୟ ଚିକିତ୍ସା ବିଜ୍ଞାନ ଏକାଡେମୀ
(ନାମ୍ସ) ସହଯୋଗରେ ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର
ଉପଯୋଗ ସମ୍ପର୍କିତ ଏକ ଆଞ୍ଚଳିକ କର୍ମଶାଳା(ସିଏମ୍ଇ) ସଫଳତାର ସହିତ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା, ପଶ୍ଚିମବଙ୍ଗ,
ବିହାର
ଏବଂ ଝାଡ଼ଖଣ୍ଡ ଭଳି ଚାରୋଟି ରାଜ୍ୟରୁ ତିନି ଶହରୁ ଅଧିକ ଚିକିତ୍ସକଙ୍କ ସମେତ ଅଙ୍ଗ ପ୍ରତିରୋପଣ
ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) କ୍ଷେତ୍ରର ପ୍ରସିଦ୍ଧ ବିଶେଷଜ୍ଞମାନେ
ଅଂଶଗ୍ରହଣ କରିଥିଲେ। ଏମ୍ସ ପାଟ୍ନା, ଏମ୍ସ ଦେଓଘର,
ଏମ୍ସ
କଲ୍ୟାଣୀ ଏବଂ ଏମ୍ସ ଭୁବନେଶ୍ୱରର ପ୍ରତିନିଧିମାନେ,
ଏହି
କାର୍ଯ୍ୟକ୍ରମରେ ସାମିଲ ଥିଲେ।
ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ, ପ୍ରଧାନମନ୍ତ୍ରୀଙ୍କ
କାର୍ଯ୍ୟାଳୟ (ପିଏମ୍ଓ)ର ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଭାଶିଷ ପଣ୍ଡା ଅଙ୍ଗ ପ୍ରତିରୋପଣରେ ଏଆଇ
ର ପରିବର୍ତ୍ତନଶୀଳ ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ବିଶାଳ ଡାଟାବେସ୍କୁ ଏକୀକୃତ କରିବା,
ବିଶେଷଜ୍ଞମାନଙ୍କୁ
ନିଷ୍ପତ୍ତି ନେବାରେ ସହାୟତା ପୂର୍ବକ ଏଆଇ ଅଙ୍ଗ ପ୍ରତିରୋପଣକୁ ବ୍ୟବସ୍ଥିତ ଏବଂ ତ୍ବରାନ୍ବିତ
କରିବା କ୍ଷେତ୍ରରେ ଉତ୍ପ୍ରେରକର ଭୂମିକା ନିର୍ବାହ କରିବ। ଏଆଇ ଜେନେଟିକ୍,
କ୍ଲିନିକାଲ୍
ଏବଂ ପରୀକ୍ଷାଗାର ତଥ୍ୟ ବ୍ୟବହାର କରି ଦକ୍ଷ ଦାତା-ଗ୍ରହୀତା ମେଳକୁ ସହଜ କରିପାରିବ,
ଅଙ୍ଗ
ଉପଲବ୍ଧତାର ପ୍ରକୃତ ସମୟ ଟ୍ରାକିଂ ବ୍ୟବସ୍ଥାକୁ ସୁଦୃଢ଼ କରିପାରିବ,
ଦ୍ରୁତ
ବିତରଣ ପାଇଁ ପରିବହନ ମାର୍ଗକୁ ଅପ୍ଟିମାଇଜ୍ କରିପାରିବ,
ଭବିଷ୍ୟବାଣୀ
ବିଶ୍ଳେଷଣ ଏବଂ ଡ୍ୟାସ୍ବୋର୍ଡ ମାଧ୍ୟମରେ ନିଷ୍ପତ୍ତି ଗ୍ରହଣକୁ ଉନ୍ନତ କରିପାରିବା ନେଇ ସେ
ଗୁରୁତ୍ୱାରୋପ କରିଥିଲେ ।
ଭାରତ ଅଙ୍ଗ ପ୍ରତିରୋପଣରେ ବିଶ୍ୱ ସ୍ତରରେ ତୃତୀୟ ଅଗ୍ରଣୀ ଦେଶ ଭାବରେ ସ୍ଥାନ ପାଇଛି। ଗତ
ବର୍ଷ ପ୍ରାୟ ୨୦ ହଜାର ପ୍ରତିରୋପଣ କରାଯାଇଥିଲା। ପ୍ରାୟ ୮୨ ପ୍ରତିଶତ ଅଙ୍ଗ ଦାନ ଜୀବିତ
ଦାତାଙ୍କଠାରୁ ଆସିଥାଏ। ଏକ୍ଷେତ୍ରରେ ମହିଳାମାନେ ସବୁଠାରୁ ବଡ଼ ଦାତା ଗୋଷ୍ଠୀ। ପ୍ରତିରୋପଣର ଏକ
ଗୁରୁତ୍ୱପୂର୍ଣ୍ଣ ଅଂଶ ଘରୋଇ କ୍ଷେତ୍ରରେ ଘଟେ, ଯାହା ସୁଲଭତାକୁ ସୀମିତ
କରେ। ଜନସଚେତନତା ବୃଦ୍ଧି ଏବଂ ସରକାରୀ ପ୍ରତିଷ୍ଠାନରୁ ଅଧିକ ଅଂଶଗ୍ରହଣର ଆବଶ୍ୟକତା ଉପରେ
ଗୁରୁତ୍ୱାରୋପ କରିଥିଲେ, ଶ୍ରୀ ପଣ୍ଡା।
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ରାଜ୍ୟ ସରକାରମାନଙ୍କ ସହିତ ମିଳିତ ଭାବରେ
ଭାରତ ସରକାରଙ୍କ ନିରନ୍ତର ପ୍ରୟାସ ସ୍ବରୂପ ଦେଶରେ ସୁଲଭ ଚିକିତ୍ସା ଏବଂ ଚିକିତ୍ସା ସେବାର
ଉପଲବ୍ଧତା ସହିତ, ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଅଗ୍ରଗତି
ହାସଲ କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ଅନୁସାରେ ମାତୃ ମୃତ୍ୟୁ ହାର
(ଏମ୍ଏମ୍ଆର୍) ଏବଂ ଶିଶୁ ମୃତ୍ୟୁ ହାର (ଆଇଏମ୍ଆର୍) ହ୍ରାସ କ୍ଷେତ୍ରରେ ଭାରତ ବିଶ୍ୱ ସ୍ତରରେ ଏକ
ଅଗ୍ରଣୀ ଦେଶ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ।
ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନ ସହିତ ସାମଗ୍ରୀକ କ୍ଷେତ୍ରରେ ଏମ୍ସ
ଭୁବନେଶ୍ୱରର ପ୍ରଗତିକୁ ପ୍ରଶଂସା କରି, ଶ୍ରୀ ପଣ୍ଡା କହିଛନ୍ତି ଯେ
ଓଡ଼ିଶାରେ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଭୁବନେଶ୍ୱରରେ ଭାରତ ସରକାରଙ୍କ ଦ୍ୱାରା
ଏମ୍ସ ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ ସମୟରେ ଏହା ଏମ୍ସ ଦିଲ୍ଲୀ ସହିତ ଦେଶର ଏକ
ପ୍ରସିଦ୍ଧ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ମାନ୍ୟତା ପାଇପାରିଛି।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ
ସିଇଓ ଡ. ଆଶୁତୋଷ ବିଶ୍ୱାସ, ଦାତା ପୁଲକୁ ବିସ୍ତାର କରିବା,
ସଂସ୍ଥାଗତ
ପ୍ରସ୍ତୁତିକୁ ମଜବୁତ କରିବା, ଜାତୀୟ ନୀତି ରଣନୀତି ସହିତ ସମନ୍ୱୟ ରଖିବାର
ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏଥିସହିତ ଏମ୍ସ ଭୁବନେଶ୍ୱର ଅଙ୍ଗ ପ୍ରତିରୋପଣ ଏବଂ କୃତ୍ରିମ ବୁଦ୍ଧିମତ୍ତା ପାଇଁ ଏକ
ଆଞ୍ଚଳିକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ସମ୍ପର୍କରେ ସୂଚନା ଦେଇଥିଲେ।
ନାମ୍ସ ସଭାପତି ଡ. ଦିଗମ୍ବର ବେହେରା ଅଙ୍ଗଦାନ କ୍ଷେତ୍ରରେ ଚାହିଦା ଓ ଯୋଗାଣ ମଧ୍ୟରେ ରହିଥିବା
ସ୍ପଷ୍ଟ ପାର୍ଥକ୍ୟ ଉପରେ ଆଲୋକପାତ କରିଥିଲେ। ଭାରତରେ ବାର୍ଷିକ ପ୍ରାୟ ୫ ଲକ୍ଷ ଅଙ୍ଗ ଆବଶ୍ୟକ।
ଏହି ଚାହିଦାର ମାତ୍ର ୩ ପ୍ରତିଶତ ପୂରଣ ହୁଏ। ତଥ୍ୟ ଅନୁସାରେ ୮୨ ହଜାରରୁ ଅଧିକ ରୋଗୀ ସକ୍ରିୟ
ପ୍ରତୀକ୍ଷା ତାଲିକାରେ ଥିବା ଡ. ବେହେରା ସୂଚନା ଦେଇଥିଲେ। କାର୍ଯ୍ୟକ୍ରମର ସଂଗଠନ ସମ୍ପାଦକ ଡ.
ଭାଗୀରଥି ଦ୍ୱିବେଦୀ ଏହି ଅବସରରେ ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ୟ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଏମ୍ସ ଋଷିକେଶ କାର୍ଯ୍ୟନିର୍ବାହୀ
ନିର୍ଦ୍ଦେଶକ ଡ. ମୀନୁ ସିଂହ, ଏମ୍ସ ଅବନ୍ତିପୋରା କାର୍ଯ୍ୟନିର୍ବାହୀ
ନିର୍ଦ୍ଦେଶକ ଡ. ସଚ୍ଚିଦାନନ୍ଦ ମହାନ୍ତି, ଏମ୍ସ କଲ୍ୟାଣୀ
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଅରବିନ୍ଦ ସିହ୍ନା,
ପିଜିଆଇଏମ୍ଇଆର
ଚଣ୍ଡିଗଡର ପୂର୍ବତନ ନିର୍ଦ୍ଦେଶକ ତଥା ନାମ୍ସ ଟାସ୍କ ଫୋର୍ସର ଅଧ୍ୟକ୍ଷ,
ଡ.
ଯୋଗେଶ କୁମାର ଚାୱଲା, ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ,
ପ୍ରଫେସର
ଶ୍ରୀପାଦ କର୍ମଲକର, ଏମ୍ସ ଭୁବନେଶ୍ବର ପୂର୍ବତନ ଅଧ୍ୟକ୍ଷ ଡ.
ସୁବ୍ରତ କୁମାର ଆଚାର୍ଯ୍ୟ, ଏମ୍ସ କଲ୍ୟାଣୀ ଅଧ୍ୟକ୍ଷ ଡ. ୱାଇ କେ
ଗୁପ୍ତା, ନାମ୍ସ ସମ୍ପାଦକ ଡ. ଉମେଶ କପିଲ,
ସୋଟ୍ଟୋ
ରାଜ୍ୟ ନୋଡାଲ ଅଧିକାରୀ ଡ. ଉମାକାନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ନୀତି ଆୟୋଗ ସଦସ୍ୟ
ପ୍ରଫେସର ଭି କେ ପଲ୍ ଆଭାସି ଜରିଆରେ ସମାବେଶକୁ ସମ୍ବୋଧିତ କରିଥିଲେ।
ଏହି ଦିନିକିଆ ଆଞ୍ଚଳିକ କର୍ମଶାଳାରେ ଆଇଆଇଟି ଭୁବନେଶ୍ୱର,
ପିଜିଆଇଏମ୍ଇଆର
ଚଣ୍ଡିଗଡ଼, ନାଇସର୍ ଭୁବନେଶ୍ୱର,
ଓଟିଟିଇଟି,
ଆଇଜର୍
ବ୍ରହ୍ମପୁର, ଆଇଜିଆଇଏମ୍ଏସ ପାଟନା ଭଳି ପ୍ରମୁଖ
ପ୍ରତିଷ୍ଠାନ, ରୋଟ୍ଟୋ ଏବଂ ସୋଟ୍ଟୋ ଭଳି ଜାତୀୟ
ପ୍ରତିରୋପଣ ସଂଗଠନର ବିଶିଷ୍ଟ ବିଶେଷଜ୍ଞମାନେ ମଧ୍ୟ ସାମିଲ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ଅଙ୍ଗ ପ୍ରତିରୋପଣରେ ନୈତିକ ଏବଂ ଆଇନଗତ ଚ୍ୟାଲେଞ୍ଜ,
ଜାତୀୟ
ନିର୍ଦ୍ଦେଶାବଳୀ ଏବଂ ସୁପାରିଶ, ସଂସ୍ଥାଗତ ପ୍ରସ୍ତୁତି ଏବଂ
କାର୍ଯ୍ୟକ୍ରମ ବିକାଶ, ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ଏବଂ ଔଷଧ
ଚିକିତ୍ସା, ଅଙ୍ଗ ଦାନକୁ ପ୍ରୋତ୍ସାହିତ କରିବା ପାଇଁ
ରଣନୀତି, ସ୍ୱାସ୍ଥ୍ୟସେବାରେ ଏଆଇ ର ଭୂମିକା ସମେତ
ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ