


ସମ୍ବଲପୁର,୩୦, ମାର୍ଚ୍ଚ (ହି.ସ.)
ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳ ୮ଟା ବେଳେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାର ଆଗରେ ଯାଉଥିବା ଏକ ଯାତ୍ରୀବାହୀ ଅଟୋକୁ ପଛରୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେବାରୁ ଅଟୋଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ୫୫ ବର୍ଷ ବୟସ୍କା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତଦନ୍ତ ପରେ ମୃତକଙ୍କ ପରିଚୟ ବୀର ସିଂହଗଡ଼ ଅଞ୍ଚଳର ବେଦ ଖରସେଲ ବୋଲି ଜଣାପଡିଛି। ଅନ୍ୟ ଆହତ ମାନଙ୍କ ପରିଚୟ ଅଦ୍ୟାବଧି ମିଳି ପାରିନଥିବା ଥାନା ସୂତ୍ରରୁ ଜଣାପଡ଼ିଛି । ସୂଚନାନୁଯାୟୀ, ବୀରସିଂହଗଡ଼ରୁ ୧୨ ଜଣ ଯାତ୍ରୀଙ୍କୁ ନେଇ ଅଟୋଟି ମାନେଶ୍ୱର ସାପ୍ତାହିକ ବଜାରକୁ ଯାଉଥିଲା। ଏହି ସମୟରେ ପଛରୁ ଆସୁଥିବା ଦ୍ରୃତଗାମୀ ଟ୍ରକ୍ ଧକ୍କା ଦେଇଥିଲା । ଯୁଯୁମୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ଓ ଟ୍ରକକୁ ଜବତ କରିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ