
ମାଲକାନଗିରି,୩୦ ମାର୍ଚ୍ଚ (ହି.ସ.) - ରାଜ୍ୟ ସରକାରଙ୍କ ବଜେଟ୍ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଏବଂ ପ୍ରଶାସନିକ ସ୍ୱଚ୍ଛତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆମେ ଜାଣିବା ଆମ ବଜେଟ୍ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ପଂଚାୟତିରାଜ ପ୍ରତିନିଧିମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ପଂଚାୟତ ଅଧିକାରୀ ସରୋଜ କୁମାର ପ୍ରଧାନ ଉପସ୍ଥିତ ରହି ଏହି ଅଭିଯାନର ମାର୍ଗଦର୍ଶିକା ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ପାଠ କରିଥିଲେ। ବଜେଟ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ଏହାର କାର୍ଯ୍ୟକାରିତା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଭାଗିଦାରୀ କିପରି ରହିବ, ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସରକାରଙ୍କ ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ ପାଇଁ ବଜେଟ୍ର ସଠିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ସାଧାରଣ ନାଗରିକମାନେ ବଜେଟ୍ ବିଷୟରେ ଜାଣିଲେ ହିଁ ସେମାନେ ନିଜ ଅଂଚଳର ବିକାଶ ପାଇଁ ଦାବି କରିପାରିବେ। ଏହି ଅଭିଯାନ ମାଧ୍ୟମରେ ଗ୍ରାମାଂଚଳରୁ ସହରାଂଚଳ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକଙ୍କୁ ସାମିଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ବଜେଟ୍ ପ୍ରକ୍ରିୟାରେ ସ୍ଥାନୀୟ ପ୍ରତିନିଧି ଓ ଜନସାଧାରଣଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ। ପଂଚାୟତ ସ୍ତରରେ ବଜେଟ୍ ଖର୍ଚ୍ଚର ସ୍ୱଚ୍ଛତା ପାଇଁ ନୂତନ ନିୟମାବଳୀ ଉପରେ ଗୁରୁତ୍ୱାରୋପ କରାଯାଇଛି। ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ବିମଲ କୁମାର ଲେଙ୍କାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ନିଜ ନିଜ ବିଭାଗର ବଜେଟ୍ ଆବଂଟନ ଓ ଲକ୍ଷ୍ୟଧାର୍ଯ୍ୟ ସମ୍ପର୍କରେ ତଥ୍ୟ ରଖିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ