
ପାଟନା, ୫ ମାର୍ଚ୍ଚ (ହି.ସ.) – ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ) ପ୍ରାର୍ଥୀମାନେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ସହିତ ବିହାର ରାଜନୀତି ସରଗରମ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ, ଭାରତୀୟ ଜନତା ପାର୍ଟି (ବିଜେପି)ର ନୀତିନ ନବୀନ ଏବଂ ରାମନାଥ ଠାକୁର, ରାଷ୍ଟ୍ରୀୟ ଲୋକମୋର୍ଚ୍ଚା (ଆରଏଲଏମ)ର ଉପେନ୍ଦ୍ର କୁଶୱାହା ଏବଂ ଶିବେଶ କୁମାର ମଧ୍ୟ ନାମାଙ୍କନ ଦାଖଲ କରିଥିଲେ । ବିହାର ବିଧାନସଭା ପରିସରରେ ଥିବା ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ ସଚିବଙ୍କ ଉପସ୍ଥିତିରେ ସମସ୍ତ ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନ ପାଇଁ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ଦାଖଲ ସମୟରେ ରାଜନୈତିକ ପରିବେଶ ବେଶ୍ ସକ୍ରିୟ ଦେଖାଯାଇଥିଲା ଏବଂ ଏହି ଅବସରରେ ମେଂଟର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କ ସମେତ ଜନତା ଦଳ ୟୁନାଇଟେଡ଼ (ଜେଡ଼ିୟୁ) ର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ନେତାମାନେ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ରାଜ୍ୟସଭା ନିର୍ବାଚନରେ ସେମାନଙ୍କ ବିଜୟ ପାଇଁ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ