
ଭୁବନେଶ୍ୱର, ୧୩ ଏପ୍ରିଲ (ହି.ସ)- ଢେଙ୍କାନାଳ ହିନ୍ଦୋଳରେ ବିଦ୍ୟୁତ୍ ଆଘାତରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ
ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ମାଧ୍ୟମରେ ସୂଚନା ଦିଆଯାଇଛି।
ପୋଷ୍ଟରେ ଉଲ୍ଲେଖ କରାଯାଇଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳଠାରେ ଘଟିଥିବା ଦୁଃଖଦ ଘଟଣାରେ ଲକ୍ଷ୍ମୀଧର ସାହୁ (ପିତା – ପୂର୍ଣ୍ଣଚନ୍ଦ୍ର ସାହୁ), ସୁଧାକର ସାହୁ (ପିତା -ଦିବାକର ସାହୁ) ଏବଂ ମିଲନ ମହାଲିକଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
ସୂଚନା ମୁତାବକ, ବାଲିମି ଥାନା ପାଟଲା ଗାଁର ତୁଳସୀବଣିସାହିରେ ଆଜି ଦଣ୍ଡନାଚ ହେବାର କାର୍ଯ୍ୟକ୍ରମ ଥିଲା। ଦିନରେ ଧୂଳିଦଣ୍ଡ ହୋଇଥିବା ବେଳେ ରାତିପାଇଁ ମଂଚ ସାଜସଜ୍ଜା କରାଯାଉଥିଲା। ସନ୍ଧ୍ୟା ସମୟରେ ପାଟଲା ଗାଁରେ ମଂଚ ପାଇଁ ସାଜସଜ୍ଜାରେ ନିୟୋଜିତ ଥିବା ପାଟଲା ଗାଁର ଦିବାକର ସାହୁଙ୍କ ପୁଅ ସୁଧାକର ସାହୁ(୩୫), ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ଲକ୍ଷ୍ମୀଧର ସାହୁ(୨୨) ଓ ବିଡ଼ୋ ଗାଁର ହୃଷୀକେଶ ମହାଳିକଙ୍କ ପୁଅ ମିଲନ୍ ମହାଳିକ(୩୫) ତାର ଟାଣୁଥିଲା ବେଳେ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ବିଦ୍ୟୁତ୍ ତାରରେ ଲାଗି ୩ ଜଣ ଯୁବକ ଜଳି ଯାଇଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବାବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା