ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡା ପୌର ପାଳିକା ପକ୍ଷରୁ ବିପଦପୂର୍ଣ୍ଣ ଅଟ୍ଟାଳିକା ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଗଲା ପଦକ୍ଷେପ
Destroyed danger houses from
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡା ପୌର ପାଳିକା ପକ୍ଷରୁ ବିପଦପୂର୍ଣ୍ଣ ଅଟ୍ଟାଳିକା ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଗଲା ପଦକ୍ଷେପ


ଝାରସୁଗୁଡ଼ା, ୧୩ ଏପ୍ରିଲ୍ (ହି.ସ.) - ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ନିର୍ଦ୍ଦେଶ କ୍ରମେ ସହରର ବିଭିନ୍ନ ସ୍ଥାନରେ ଥିବା ପୁରାତନ ତଥା ବିପଦପୂର୍ଣ୍ଣ ଅଟ୍ଟାଳିକା ଗୁଡିକ ବିରୁଦ୍ଧରେ ପୌର ପାଳିକା ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସମସ୍ତ କାର୍ଯ୍ୟାନୁଷ୍ଠାନ ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ ଜରୁରୀକାଳୀନ ବିଭାଗର ତତ୍ୱାବଧାନରେ ଗ୍ରହଣ କରାଯାଉଛି। ଯେହେତୁ ଏହି ଅସୁରକ୍ଷିତ ଏବଂ ବିପଦପୂର୍ଣ୍ଣ ଅଟ୍ଟାଳିକା ଗୁଡିକ ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି, ତେଣୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଏବଂ ସମ୍ଭାବ୍ୟ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି କଠୋର ପଦକ୍ଷେପ ନିଆଯାଇଛି। ସାଧାରଣ ଜନତାଙ୍କ ଜୀବନ ଓ ଧନ ସମ୍ପତିର ସୁରକ୍ଷାକୁ ପ୍ରାଥମିକତା ଦେଇ ପୌର ପାଳିକା ପକ୍ଷରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସହରର ବିଭିନ୍ନ ସ୍ଥାନରେ ଝାରସୁଗୁଡା ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି।

ଏହି ଅଭିଯାନର ଏକ ଅଂଶସ୍ୱରୂପ, ସହରର ବିଭିନ୍ନ ସ୍ଥାନରେ ରାସ୍ତା କଡ଼ ଏବଂ ଡ୍ରେନ୍ ଉପରେ କରାଯାଇଥିବା ବେଆଇନ ଜବରଦଖଲ ଗୁଡ଼ିକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ହଟାଯିବ। ପିକ୍ ଆୱାର ସମୟରେ ଯେତେବେଳେ ଅଧିକ ମାତ୍ରାରେ ଯାନବାହାନ ଚଳାଚଳ କରିଥାଏ ସେହି ସମୟରେ ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ହେଉଥିବା ପ୍ରବଳ ଟ୍ରାଫିକ ଜାମ୍ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ଏହି ନିଷ୍ପତି ନିଆଯାଇଛି। ସାଧାରଣ ଜନତାଙ୍କ ପାଇଁ ଅଧିକ ସ୍ଥାନ ସୃଷ୍ଟି କରିବା ଏବଂ ଗମନାଗମନକୁ ସୁଗମ କରିବା ଲକ୍ଷ୍ୟରେ ଏହି ଉଚ୍ଛେଦ ପ୍ରକିୟା ଆଗାମୀ ଦିନରେ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ପୌର ପାଳିକା ପକ୍ଷରୁ ଗତ ୧୬.୦୯.୨୦୨୫ ରିଖରେ ଓଡ଼ିଶା ପୌର ନିୟମ (ଓ ଏମ୍ ଏ, ୧୯୫୦) ର ଧାରା ୨୭୫ ଅନୁଯାୟୀ ସହରର ବିଭିନ୍ନ ବିପଦପୂର୍ଣ୍ଣ ଗୃହ ମାଲିକଙ୍କୁ ନୋଟିସ୍ ଜାରି କରାଯାଇଥିଲା। ଏଥିସହିତ ସମ୍ପୃକ୍ତ ଅଂଚଳ ଗୁଡିକରେ ମାଇକ ଯୋଗେ ବ୍ୟାପକ ପ୍ରଚାର ପ୍ରସାର କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଅସୁରକ୍ଷିତ ଅଟ୍ଟାଳିକା ଖାଲି କରିବାକୁ କୁହାଯାଇଥିଲା। ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ କରାଯିବା ସତ୍ୱେ କେତେକ ସ୍ଥାନରେ କୌଣସି ସଂସ୍କାରମୂଳକ ପଦକ୍ଷେପ ନିଆଯାଇନଥିଲା। ମାତ୍ର କୌଣସି ସନ୍ତୋଷଜନକ ପଦକ୍ଷେପ ନିଆନଯିବାରୁ ପ୍ରଶାସନ ପକ୍ଷରୁ ଏହି ଚୂଡ଼ାନ୍ତ ନିଷ୍ପତି ନିଆଯାଇଛି। ପୌର ପାଳିକା ଦ୍ୱାରା ପ୍ରସ୍ତୁତ କାର୍ଯ୍ୟସୂଚୀ ଅନୁଯାୟୀ, କାଳୀ ମନ୍ଦିର ରୋଡ୍, କଂସାରିପଡା, ପୁରୁଣାବସ୍ତି ଏବଂ ମାରୱାଡିପଡା ଅଂଚଳରେ ଥିବା ବିପଦପୂର୍ଣ୍ଣ ଗୃହ ଗୁଡିକୁ ପର୍ଯ୍ୟାୟକ୍ରମେ ଭଙ୍ଗାଯାଉଛି। ଏହି ଅଭିଯାନ ସମୟରେ ପୌର ପାଳିକାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ସହରରେ ଥିବା ଅନ୍ୟ ସମସ୍ତ ବିପଦସଙ୍କୁଳ ନିର୍ମାଣ ଗୁଡିକ ଉପରେ ଏଭଳି କଡା ନଜର ରଖାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande