
ନୂଆଦିଲ୍ଲୀ/ଗାନ୍ଧୀନଗର, 13 ଏପ୍ରିଲ (ହି.ସ.)। ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲାରେ ଘଟିଥିବା ଏକ
ସଡ଼କ ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ 4 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି
ଦୁର୍ଘଟଣା ଜିଲ୍ଲାର ଲଖତର–ବିରମଗାମ ଜାତୀୟ ରାଜପଥରେ ଘଟିଥିଲା, ଯେଉଁଠାରେ ଏକ ଦ୍ରୁତ
ଗତିରେ ଆସୁଥିବା ଟ୍ରକ୍ ପଦଚାରୀ ଭକ୍ତମାନଙ୍କୁ ଧକ୍କା ଦେଇଥିଲା।
ଲଖତର ଥାନାର ସୂଚନା ଅନୁସାରେ, ରବିବାର-ସୋମବାର ମଧ୍ୟରାତ୍ରୀ ପ୍ରାୟ 1.30 ବେଳେ
ଭକ୍ତମାନଙ୍କ ଏକ ଦଳ ରାଜକୋଟରୁ ବହୁଚରାଜୀ ମାତା ମନ୍ଦିରକୁ ପଦଯାତ୍ରା କରୁଥିଲେ। ଏହି ସମୟରେ
ପଛଦିଗରୁ ଆସୁଥିବା ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଭକ୍ତମାନଙ୍କୁ ଧକ୍କା ଦେଇଥିଲା।
ଏହି ଦୁର୍ଘଟଣାରେ 6 ଜଣ ଭକ୍ତ ଏବଂ ସଡ଼କ ପାଖରେ ଠିଆ ହୋଇଥିବା ଜଣେ
ଡମ୍ପର ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ 5 ଜଣ ପୁରୁଷ ଏବଂ 2 ଜଣ ମହିଳା ଅଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଡ଼କ ଦୁର୍ଘଟଣାରେ ଜୀବନ ଓ ସମ୍ପତ୍ତିର କ୍ଷତି ପାଇଁ
ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ରାଷ୍ଟ୍ରପତି ମୁର୍ମୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ନିଜ ବାର୍ତ୍ତାରେ
କହିଛନ୍ତି ଯେ ସୁରେନ୍ଦ୍ରନଗରରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଲୋକମାନଙ୍କ ମୃତ୍ୟୁର ଖବର
ଅତ୍ୟନ୍ତ ଦୁଃଖଦ। ସେ ଶୋକାକୁଳ ପରିବାରମାନଙ୍କ ପ୍ରତି ସମବେଦନା ବ୍ୟକ୍ତ କରି ଆହତମାନଙ୍କ ଶୀଘ୍ର
ସୁସ୍ଥତା କାମନା କରିଛନ୍ତି।
ଉପରାଷ୍ଟ୍ରପତି ରାଧାକୃଷ୍ଣନ ‘ଏକ୍ସ’ ରେ ଏକ ପୋଷ୍ଟରେ କହିଛନ୍ତି, “ଗୁଜରାଟର
ସୁରେନ୍ଦ୍ରନଗରରେ ଘଟିଥିବା ଏହି ଦୁଃଖଦ ସଡ଼କ ଦୁର୍ଘଟଣାରେ ହୋଇଥିବା ଜୀବନ ଓ ସମ୍ପତ୍ତିର କ୍ଷତି
ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ଶୋକାକୁଳ ପରିବାରମାନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି। ମୁଁ
ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି।”
ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣା ପ୍ରତି ଦୁଃଖ ବ୍ୟକ୍ତ କରି କହିଛନ୍ତି
ଯେ ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲାରେ ଘଟିଥିବା ଏହି ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ସେ
ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରମାନଙ୍କ ପ୍ରତି ଗଭୀର ସମବେଦନା ବ୍ୟକ୍ତ
କରିଥିବା ସହ ଆହତମାନଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା