
ହାପୁର, ୧୩ ଅପ୍ରେଲ (ହି.ସ.)- ଉତରପ୍ରଦେଶର ହାପୁର ଜିଲ୍ଲା ଧୌଲାନା ଥାନା ଅନ୍ତର୍ଗତ ଧୌଲାନା-ଗୁଲାୱାଥି ରାସ୍ତାରେ ରବିବାର ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ସହ ବସ୍ ଧକ୍କା ହେବା ଫଳରେ ଛଅ ଜଣ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଛଅ ଜଣ ଆହତ ହୋଇଛନ୍ତି । ଘଟଣା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍, ପୋଲିସ ଅଧୀକ୍ଷକ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଂଚି ଯାଂଚ୍ କରିଥିଲେ ।
ପୋଲିସ ଅଧୀକ୍ଷକ କୁଂୱର ଜ୍ଞାନଞ୍ଜୟ ସିଂ କହିଛନ୍ତି ଯେ ଗାଜିଆବାଦର ଡାସନାରେ ରହୁଥିବା ଇକରାମ କ୍ୟୁରେସୀଙ୍କ ପୁଅଙ୍କ ବିବାହ ଶୋଭାଯାତ୍ରା ଅପରାହ୍ନ ପ୍ରାୟ ୧ଟା ୩୦ ମିନିଟରେ ଗୁଲାବତୀରୁ ଫେରୁଥିଲା । ଧୌଲାନା ଥାନା ଅଂଚଳର ଧୌଲାନା-ଗୁଲାୱାଥି ରାସ୍ତାରେ ଏକ ବସ୍ ଏବଂ ଏକ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତମାନଙ୍କୁ ଗାଡ଼ିରୁ ବାହାର କରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ସୋନୁ, ୟୁସୁଫ, ଅଖତର, ୟୁନୁସ, ମୁନ୍ନା ଏବଂ ବସ୍ ଡ୍ରାଇଭର ଅଶୋକଙ୍କ ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି । ବସ୍ ରେ ଚାଳକ ସମେତ ମୋଟ୍ ୧୨ ଜଣ ଲୋକ ଥିଲେ । ଆହତମାନେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ପୋଲିସ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଅଭିଷେକ ପାଣ୍ଡେ, ଏସ୍. ପି. ଏବଂ ସି.ଏମ୍.ଓ. ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତି କରିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ