
ନୂଆପଡା, ୧୬ ଏପ୍ରିଲ (ହି.ସ.)- ଜନସାଧାରଣଙ୍କ ପାଇଁ ସ୍ୱୟଂ-ଗଣନା ପ୍ରକ୍ରିୟାର ସମାପ୍ତି ପରେ ଜନଗଣନା–୨୦୨୭ର ପ୍ରଥମ ପର୍ଯ୍ୟାୟ ଅନୁସାରେ ଗୃହ ତାଲିକା ଓ ଗୃହ ଗଣନା(ହାଉସଲିଷ୍ଟିଂ ଓ ହାଉସିଂ ସେନସସ୍) କାର୍ଯ୍ୟ ଆଜି ନୂଆପଡା ଜିଲ୍ଲାରେ ସଫଳତାର ସହ ଆରମ୍ଭ ହୋଇଛି। ଜିଲ୍ଲାର ୮ଟି ଚାର୍ଜ ଅଫିସ(୫ଟି ଗ୍ରାମୀଣ ଓ ୩ଟି ସହର ଚାର୍ଜ) ଅଧୀନରେ ପ୍ରଶିକ୍ଷିତ ଗଣନାକାରୀ ଓ ପର୍ଯ୍ୟବେକ୍ଷକମାନେ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଅଛନ୍ତି। ଏହି ଅଭିଯାନରେ ମୋଟ ୧,୧୩୮ ଜଣ ଗଣନାକାରୀ ଓ ୧୯୪ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବାବେଳେ ଆପତ୍କାଳୀନ ପରିସ୍ଥିତି ପାଇଁ ଅତିରିକ୍ତ ୧୦ ପ୍ରତିଶତ ରିଜର୍ଭ କର୍ମଚାରୀ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଆଜି ସନ୍ଧ୍ୟା ୪ଟା ୩୦ ମିନିଟ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ମୋଟ ୧୪,୬୮୪ଟି ଗୃହ ତାଲିକାଭୁକ୍ତ ହୋଇଥିବା ସହ ୧୬,୬୪୭ଟି ଜନଗଣନା ଘର ଚିହ୍ନଟ କରାଯାଇଛି। ଜିଲ୍ଲାର ସମସ୍ତ ଅଂଚଳରେ କ୍ଷେତ୍ରସ୍ତରୀୟ କାର୍ଯ୍ୟ ସୁଚାରୁ ଭାବେ ଚାଲିଥିବାବେଳେ ଏହା ନିର୍ଦ୍ଧାରିତ ସମୟସୂଚୀ ଅନୁସାରେ ଅଗ୍ରସର ହେଉଛି । ଜନଗଣନା–୨୦୨୭ର ଏହି ପ୍ରଥମ ପର୍ଯ୍ୟାୟ ୨୦୨୬ ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ୩୦ ଦିନ ଧରି ଚାଲିବ। ଏହି ସମୟରେ ଗଣନାକାରୀମାନେ ଘରେ ଘରେ ଯାଇ ଗୃହସ୍ଥିତି, ପରିବାର ବିବରଣୀ, ଉପଲବ୍ଧ ସୁବିଧା ଓ ସମ୍ପତି ସମ୍ପର୍କିତ ୩୩ଟି ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବେ। ଏହିଥର ପ୍ରଥମ ଥର ପାଇଁ ସ୍ୱୟଂ-ଗଣନା ବ୍ୟବସ୍ଥା ଏପ୍ରିଲ ୧ ରୁ ୧୫ ପର୍ଯ୍ୟନ୍ତ ଚାଲିଥିଲା। ଯେଉଁ ପରିବାର ସ୍ୱୟଂ-ଗଣନା କରିଛନ୍ତି, ସେମାନେ ନିଜର ଏସଇ ଆଇଡି ଗଣନାକାରୀଙ୍କୁ ପ୍ରଦାନ କରି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ। ଯେଉଁମାନେ ଏହି ବିକଳ୍ପ ବ୍ୟବହାର କରିନାହାନ୍ତି, ସେମାନଙ୍କ ତଥ୍ୟ ଘରେ ଘରେ ସଂଗ୍ରହ କରାଯିବ। ଏହି ଜନଗଣନା ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରଣାଳୀରେ ସଂପାଦିତ ହେଉଛି। ବିଶେଷ ମୋବାଇଲ୍ ଆପ୍ ମାଧ୍ୟମରେ ତଥ୍ୟ ସଂଗ୍ରହ ହେଉଥିବାରୁ ତଥ୍ୟର ସଠିକତା, ସ୍ପଷ୍ଟତା ଓ ଦ୍ରୁତ ପ୍ରକ୍ରିୟାକରଣ ସୁନିଶ୍ଚିତ ହେଉଛି।
ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ୨୦୨୭ ଫେବୃଆରୀ ୯ ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବ ଏବଂ ୧ରୁ ୫ ମାର୍ଚ୍ଚ ମଧ୍ୟରେ ପୁନର୍ବୀକ୍ଷଣ କରାଯିବ। ମାର୍ଚ୍ଚ ୧, ୨୦୨୭ ରାତି ୧୨ଟାକୁ ଆଧାର ମୁହୂର୍ତ ଭାବେ ଗ୍ରହଣ କରାଯିବ। ଜନଗଣନା ଆଇନ, ୧୯୪୮ ଅନୁସାରେ ସଂଗ୍ରହିତ ସମସ୍ତ ତଥ୍ୟ କଠୋର ଭାବରେ ଗୋପନୀୟ ରହିବ ଏବଂ କେବଳ ପରିସଂଖ୍ୟାନ ଓ ବିକାଶମୂଳକ ଯୋଜନା ପ୍ରସ୍ତୁତି ପାଇଁ ବ୍ୟବହୃତ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକଙ୍କୁ ଏହି ଜାତୀୟ ଅଭିଯାନରେ ସକ୍ରିୟ ଭାଗ ନେଇ ଗଣନାକାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ