ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ‘ସ୍ନେହ ସେତୁ’ରେ ଆଉ ଏକ ସଫଳତା; ଦେଢ଼ ବର୍ଷର ନିଖୋଜ ପରେ ବିହାରକୁ ଫେରିଲେ ରଞ୍ଜିତ
ଝାରସୁଗୁଡ଼ା, ୧୬ ଏପ୍ରିଲ୍ (ହି.ସ.)- ଜିଲ୍ଲା ପ୍ରଶାସନର ମାନବୀୟ ପଦକ୍ଷେପ ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ପୁଣି ଜଣେ ନିଖୋଜ ଯୁବକ ନିଜ ପରିବାର ସହ ପୁନଃମିଳିତ ହୋଇଛନ୍ତି। ବିହାର ରାଜ୍ୟ ରୋହତାସ ଜିଲ୍ଲାର ୩୪ ବର୍ଷୀୟ ଯୁବକ ରଞ୍ଜିତ ଯାଦବ ଆଜି ନିଜ ପରିବାରକୁ ଫେରିଛନ୍ତି। ଜିଲ୍ଲାପାଳ କୁଣାଲ ମୋତ
ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ‘ସ୍ନେହ ସେତୁ’ରେ ଆଉ ଏକ ସଫଳତା; ଦେଢ଼ ବର୍ଷର ନିଖୋଜ ପରେ ବିହାରକୁ ଫେରିଲେ ରଞ୍ଜିତ


ଝାରସୁଗୁଡ଼ା, ୧୬ ଏପ୍ରିଲ୍ (ହି.ସ.)- ଜିଲ୍ଲା ପ୍ରଶାସନର ମାନବୀୟ ପଦକ୍ଷେପ ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ପୁଣି ଜଣେ ନିଖୋଜ ଯୁବକ ନିଜ ପରିବାର ସହ ପୁନଃମିଳିତ ହୋଇଛନ୍ତି। ବିହାର ରାଜ୍ୟ ରୋହତାସ ଜିଲ୍ଲାର ୩୪ ବର୍ଷୀୟ ଯୁବକ ରଞ୍ଜିତ ଯାଦବ ଆଜି ନିଜ ପରିବାରକୁ ଫେରିଛନ୍ତି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରଞ୍ଜିତଙ୍କୁ ତାଙ୍କ ପିତା ଓ ଭାଇଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ରଞ୍ଜିତଙ୍କୁ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଣେଶ ନଗର, ବାମରା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୋବିନ୍ଦପୁର ଆଇଆଇସିଙ୍କ ସହାୟତାରେ ତାଙ୍କୁ ଗତ ୦୬.୦୪.୨୦୨୬ ରିଖରେ ଝାରସୁଗୁଡ଼ା କକ୍ସ କଲୋନୀସ୍ଥିତ ‘ମିଶନ ଆଶାଲୋକ-୧’ କେନ୍ଦ୍ରରେ ଆଶ୍ରୟ ପ୍ରଦାନ କରାଯାଇଥିଲା। ସେଠାରେ ରଞ୍ଜିତଙ୍କ ଯତ୍ନ ନିଆଯିବା ସହ ଆବଶ୍ୟକ ଚିକିତ୍ସା କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେ ନିଜ ଘର ବିହାର ରାଜ୍ୟ ରୋହତାସ ଜିଲ୍ଲା ରାଜପୁର ଥାନା ଅନ୍ତର୍ଗତ ଅମରପୁର ଗ୍ରାମରେ ବୋଲି ସୂଚନା ଦେଇଥିଲେ। ଏହି ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ଓ ମିଶନ ଆଶାଲୋକ ଟିମ୍ ପକ୍ଷରୁ ତୁରନ୍ତ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା। ରଞ୍ଜିତଙ୍କ ସନ୍ଧାନ ପାଇ ଆଜି ତାଙ୍କ ପିତା ଲକ୍ଷ୍ମଣ ସିଂ ଏବଂ ତାଙ୍କ ଭାଇ ଝାରସୁଗୁଡ଼ାରେ ପହଞ୍ଚିଥିଲେ। ଦୀର୍ଘ ଦିନର ବିଚ୍ଛେଦ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ପୁଅକୁ ପାଖରେ ପାଇ ପିତା ଲକ୍ଷ୍ମଣ ସିଂ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିବା ସହ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ କହିଛନ୍ତି ଯେ, ନିଖୋଜ ବ୍ୟକ୍ତିଙ୍କୁ ସେମାନଙ୍କ ଆପଣାର ଲୋକଙ୍କ ସହ ଭେଟ କରାଇବା ହିଁ ‘ସ୍ନେହ ସେତୁ’ ଅଭିଯାନର ମୂଳ ଲକ୍ଷ୍ୟ। ସ୍ଵଳ୍ପ ସମୟ ବ୍ୟବଧାନରେ ଏହିପରି ପୁନଃମିଳନ ଆମ ପ୍ରଶାସନିକ ପ୍ରୟାସକୁ ଆହୁରି ଉତ୍ସାହିତ କରିଛି। ଏହି ପୁନଃମିଳନ ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ମିଶନ ଆଶାଲୋକର ସଦସ୍ୟମାନେ ଉପସ୍ଥିତ ରହି ରଞ୍ଜିତଙ୍କୁ ଶୁଭେଚ୍ଛା ସହ ବିଦାୟ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande