
ଭୁବନେଶ୍ୱର, ୧୭ ଏପ୍ରିଲ (ହି.ସ.)- ଲୋକସେବା ଭବନରୁ ଏସି ଚୋରି ଅଭିଯୋଗରେ ୨ ଚୋରଙ୍କୁ ବାନ୍ଧିଛି ପୋଲିସ୍। ଗିରଫ ଦୁଇ ଅଭିଯୁକ୍ତ ହେଲେ ନିଶ୍ଚିନ୍ତକୋଇଲି ଅଂଚଳର ମନୋଜ କୁମାର ଦାସ ଓ ଯାଜପୁର ବିଞ୍ଝାରପୁର ଅଂଚଳର ଚନ୍ଦନ ପଲେଇ।୨୦୨୫ ନଭେମ୍ବରରୁ ଏବେ ଯାଏଁ ଏହି ଦୁଇ ଚୋର କମ୍ପ୍ରେସର ଏବଂ ତମ୍ବା ପାଇପ ଚୋରି କରି ଆସୁଥିଲେ। ଲୋକସେବା ଭବନରେ ଥିବା ଅର୍ଥ ବିଭାଗର ଛାତର ତଳ ମହଲା, ଉପସଚିବଙ୍କ ଚାମ୍ବର ଓ ଲାଇବ୍ରେରୀରୁ ଚୋରି ହୋଇଥିଲା। ୭ରୁ ଅଧିକ ଏସିରୁ ତମ୍ବା ତାର ସହିତ କମ୍ପ୍ରେସର ନେଇ ଯାଇଥିଲେ ଦୁଇ ଚୋର। ଗୋଟେ ପରେ ଗୋଟେ ଏସି ଖରାପ ହେବା ପରେ ସନ୍ଦେହ ବଢ଼ିଥିଲା । ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ସମୟରେ ନଭେମ୍ବର ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ଚୋରି ହୋଇଥିବା ସନ୍ଦେହ କରାଯାଉଛି। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା।
ତଦନ୍ତ ସମୟରେ ସଚିବାଳୟ ସୁରକ୍ଷା କର୍ମଚାରୀମାନେ ଗାର୍ଡ ରୁମ ନିକଟରେ ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ ଅଟକ ରଖିଥିଲେ। ସେମାନଙ୍କ ପାଖରୁ କଟା ତମ୍ବା ପାଇପ ଓ ଉପକରଣ ଥିବା ଏକ ବ୍ୟାଗ ମିଳିଥିଲା। ପଚରାଉଚରା ସମୟରେ ଅଭିଯୁକ୍ତମାନେ ରକ୍ଷଣାବେକ୍ଷଣ କାର୍ଯ୍ୟର ସୁଯୋଗ ନେଇ ତମ୍ବା ପାଇପ ଓ ମୂଲ୍ୟବାନ ଏସି ଅଂଶ ଚୋରି କରୁଥିବା କଥା ସ୍ୱୀକାର କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା