
ବଲାଙ୍ଗିର, ୧୭ ଏପ୍ରିଲ୍ (ହି.ସ.)- ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ଵାରା ଜାରି ହୋଇଥିବା ଲାଲ ଚେତାବନୀ ଓ ବଲାଙ୍ଗୀର ଜିଲ୍ଲାରେ ପ୍ରଚାରିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି, ସାଧାରଣ ଲୋକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛନ୍ତି ।
ପ୍ରଶାସନଙ୍କ ନିଷ୍ପତ୍ତି ଅନୁସାରେ, ଅଙ୍ଗନବାଡ଼ି କେନ୍ଦ୍ର, ସମସ୍ତ ସ୍କୁଲ, କଲେଜ ଓ ବୈଷୟିକ ପ୍ରତିଷ୍ଠାନ ଗୁଡିକୁ ୧୮.୦୪.୨୦୨୬ ରୁ ୨୧.୦୪.୨୦୨୬ ପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯିବ । ଗ୍ରୀଷ୍ମ ପ୍ରବାହ ସମୟରେ ଅଂଶୁଘାତ ଓ ଜଳଶୁଷ୍କତାରୁ ସାଧାରଣ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି। ଅଂଶୁଘାତରୁ ରକ୍ଷା ପାଇଁ ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ । ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ । ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ । ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ । ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ । ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓ.ଆର୍.ଏସ୍ ଦ୍ରବଣ, ପଣା, ତୋରାଣି, ଘୋଳଦହି ଓ ଆଖୁରସ ପିଅନ୍ତୁ । କାକୁଡ଼ି, ତରଭୁଜ ଆଦି ଖାଆନ୍ତୁ । ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ । ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ । ଭାରତୀୟ ପାଣିପାଗ ବିଭାଗ ଦ୍ବାରା ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଦିଆଯାଉଥିବା ସତର୍କ ସୂଚନା ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ । ସମସ୍ତଙ୍କୁ ପ୍ରଶାସନର ଅନୁରୋଧ, ଉପରୋକ୍ତ ସୁରକ୍ଷାମୂଳକ ବ୍ୟବସ୍ଥା ଅବଲମ୍ଭନ କରିବେ, ସଚେତନତା ବୃଦ୍ଧି କରିବେ ଏବଂ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସତର୍କ ରହିବେ।
ଗ୍ରୀଷ୍ମ ପ୍ରବାହ ସମୟରେ ଜରୁରୀକାଳୀନ ସେବା ସୁନିଶ୍ଚିତ କରିବା ପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟା କାର୍ଯ୍ୟକ୍ଷମ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। ଏହା ଜିଲ୍ଲା, ବ୍ଲକ, ତହସିଲ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଓ ସମ୍ବନ୍ଧିତ ବିଭାଗରେ ସକ୍ରିୟ ଭାବରେ କାର୍ଯ୍ୟରତ ରହିବ । ଜରୁରୀକାଳିନ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରସାଶନ ଦ୍ଵାରା ଜରୁରୀ ସମ୍ପର୍କ ସଂଖ୍ୟା ୯୪୩୮୭୭୬୩୯୪ / ୦୬୬୫୨-୨୩୦୯୬୯ ଏବଂ ହସ୍ପିଟାଲ ସହାୟତା କେନ୍ଦ୍ରର ଫୋନ ନଂ ୭୮୭୩୦୩୯୨୯୧ଜାରି କରାଯାଇଅଛି । ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଉଛି ଯେ, ଜରୁରୀକାଳୀନ ସେବା ପାଇଁ ଉପରୋକ୍ତ ନିୟନ୍ତ୍ରଣ କକ୍ଷ ଓ ସହାୟତା କେନ୍ଦ୍ର ସହିତ ସମ୍ପର୍କ ସାଧନ କରିବେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ