
ପୁରୀ, ୧୭ ଏପ୍ରିଲ୍ (ହି.ସ.)- ଆଜି ପୂର୍ବାହ୍ନରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ତାଳବଣିଆ ଆଇଟିଆଇ ପଡିଆ ଠାରେ ମେଗା ବା ବୃହତ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଏହାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଉଦଘାଟନ କରିବା ସହ ଏହି ନିଯୁକ୍ତି ମେଳା ମାଧ୍ୟମରେ ବେରୋଜଗାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ସହ ସେମାନଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ ପାଇଁ ସହାୟକ ହେଉଛି ବୋଲି କହିଥିଲେ। ସରକାରଙ୍କ ଲକ୍ଷ୍ୟ ଯୁବବର୍ଗ ସେମାନଙ୍କ ଯୋଗ୍ୟତା ଅନୁସାରେ ଆତ୍ମ ନିର୍ଭର ହୁଅନ୍ତୁ। ବର୍ତ୍ତମାନ ସମୟରେ ଯୁବବର୍ଗଙ୍କ ପାଇଁ ଅନେକ ସୁବିଧା ସୁଯୋଗ ରହିଛି। ସେମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇ ପାରିବେ ବା ନିଜେ ତାଲିମ ନେଇ ଜଣେ ସଫଳ ଉଦ୍ୟୋଗପତି ହୋଇ ଅନ୍ୟ ମାନଙ୍କୁ ନିଯୁକ୍ତି ଦେଇପାରିବେ ବୋଲି ସେ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ରାଜୀବ କୁମାର ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପୁରୀର ଅଧ୍ୟକ୍ଷ ପ୍ରମୋଦ କୁମାର ସାମଲ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର କୃଷ୍ଣ ପ୍ରସାଦର ଅଧ୍ୟକ୍ଷ ଚନ୍ଦ୍ର ଶେଖର ସୁନ୍ଦରାୟ,
ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ରୁଆ ର ଅଧ୍ୟକ୍ଷ ଦିପ୍ତୀ ମିଶ୍ର ପ୍ରମୁଖ ଯୋଗଦେଇ ନିଯୁକ୍ତି ମେଳା ଯୁବବର୍ଗ ପାଇଁ ଏକ ଭଲ ସୁଯୋଗ। ଏଥିରେ ଯୋଗ ଦେଇ ନିଜ ଯୋଗ୍ୟତା ଓ ଦକ୍ଷତା ଆଧାରରେ ନିଜକୁ ପ୍ରତିପାଦିତ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଧର୍ମାନନ୍ଦ ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ। ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେକ୍ସନ ଅଫିସର ପୁଷ୍ପ ଲତା ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ନିଯୁକ୍ତି ମେଳା ପରିଚାଳନାରେ ସହଯୋଗ କରିଥିଲେ। ନିଯୁକ୍ତି ମେଳାରେ ୩୯ ଗୋଟି ବେସରକାରୀ ସଂସ୍ଥା ଓ ୧୦ ଗୋଟି ପିଆଇଏ ଅଂଶଗ୍ରହଣ କରିଥିଲେ।
ଏଥିରେ ୧୮୬୨ ଜଣ ପଞ୍ଜିକରଣ କରିଥିବା ବେଳେ ବିଭିନ୍ନ କମ୍ପାନୀ ୧୧୮୯ ଜଣଙ୍କୁ ସଟଲିଷ୍ଟ କରିଥିଲେ। ସେମାନଙ୍କ ମଧ୍ୟରୁ ତତକ୍ଷଣାତ ୧୦୧ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ୫୪୭ ଜଣଙ୍କୁ ଦକ୍ଷତା ବିକାଶ ତାଲିମ ପାଇଁ ପିଆଇଏ ମାନେ ମନୋନୀତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ