
ବଲାଙ୍ଗୀର, ୧୭ ଏପ୍ରିଲ୍(ହି.ସ.) –ଆସନ୍ତା ୧୯ ତାରିଖ ରବିବାର ଦିନ ଚିରଞ୍ଜିବୀ ଭଗବାନ ଶ୍ରୀ ଶ୍ରୀ ପର୍ଶୁରାମ ଜନ୍ମୋତ୍ସବ ଉପଲକ୍ଷେ ଜିଲ୍ଲା ବ୍ରାହ୍ମଣ ମହାସଭା ଓ ପର୍ଶୁରାମ ବାହିନୀ ଆନୁକୁଲ୍ୟରେ ସରକାରୀ ପ୍ରୋସାହନ ଦ୍ୱାରା ବିଶେଷତଃ ବଲାଙ୍ଗିର ପୌର ପରିଷଦ ଓ ସ୍ଥାନୀୟ ଲୋକ ପ୍ରତିନିଧି କଳିକେଶ ନାରାୟଣ ସିଂଦେଓଙ୍କ ପ୍ରତ୍ୟକ୍ଷ ସହୟତାରେ ପର୍ଶୁରାମ ଛକ ଠାରେ ଏକ ସୁଉଚ୍ଚ ବିଶାଳକାୟ ବ୍ରୋଞ୍ଜ ପ୍ରତିମୂର୍ତି ଅନାବରଣ କରାଯିବ। ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀ, ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ଓ ପର୍ଶୁରାମ ବାହିନୀର ସଭାପତି ବିଧୁ ଭୂଷଣ ତ୍ରିପାଠୀ ଓ ପର୍ଶୁରାମ କମିଟିର ଆବାହକ ଶିବ ଶଙ୍କର ଖୁଆସଙ୍କ ଏକ ପ୍ରେସମିଟ ଜରିଆରେ ପ୍ରକାଶ ଯେ, ଉକ୍ତ ଉତ୍ସବର ସୁପରିଚାଳନା ପାଇଁ ବିଭିନ୍ନ କମିଟି ଗୁଡିକ ଗଠନ କରାଯାଇଅଛି ଏବଂ ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗିର ଜନସାଧାରଣ ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ସମାଜବର୍ଗ ଓ ସହରର ବିଭିନ୍ନ ଅନୁଷ୍ଠାନ ଯୋଗଦାନ କରି ସଫଳ କରିବାକୁ ନିବେଦନ କରିଛନ୍ତି। ପ୍ରଥମେ ପ୍ରାତଃ ୮ଟା ସମୟରେ ଶ୍ରୀ ନୃସିଂହ ମନ୍ଦିର ଠାରେ ଭଗବାନ ଶ୍ରୀ ପର୍ଶୁରାମଙ୍କର ଜନ୍ମୋତ୍ସବ ପାଳନ ହେବ ଓ ଏଥିରେ କର୍ତା ହିସାବରେ ବ୍ରାହ୍ମଣ ସମାଜର ସହ ସମ୍ପାଦକ ସଂକୀର୍ତନ ତ୍ରିପାଠୀ ଓ ତାଙ୍କ ପତ୍ନୀ ମେନକା ତ୍ରିପାଠୀ ଓ ପୂଜାବିଧି ପାଇଁ କର୍ମକାଣ୍ଡି ପଣ୍ଡିତ ସନ୍ତୋଷ ମିଶ୍ରଙ୍କ ଦ୍ୱାରା ସମାହିତ ହେବ। ପରେ ଏକ ବିରାଟ ମୋଟର ସାଇକଲ ଯାତ୍ରାରେ ବାହାରି ଆରଟିଓ କାର୍ଯ୍ୟାଳୟ ନିକଟସ୍ଥ ପର୍ଶୁରାମ ଛକ ଠାରେ ଭଗବାନ ପର୍ଶୁରାମଙ୍କର ଏକ ବିଶାଳ ପ୍ରତିମୂର୍ତି ଅନାବରଣ କରାଯିବ। ଏହି ଉତ୍ସରେ ଦିବ୍ୟ ଜୀବନ ସଂଘର ରାଜ୍ୟମୁଖ୍ୟ ସ୍ୱାମୀ ଶିବା ଚିଦାନନ୍ଦ ସରସ୍ୱତୀ ମହାରାଜ, ସର୍ବଭାରତୀୟ ବ୍ରାହ୍ମଣ ଫେଡେରେସନର ସଭାପତି ପ୍ରଦୀପ ଯୋଷୀ (କେରଳ), ଲୋକେନ୍ଦ୍ର ଶର୍ମା ଉପସଭାପତି(ରାଜସ୍ଥାନ), ଓଡିଆ ବିଶ୍ୱବିଦ୍ୟାଳୟର ଉପକୂଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ(ସତ୍ୟବାଦୀ ପୁରୀ), ଅଖିଳ ଓଡିଶା ବ୍ରହ୍ମଣ ମହାସଭାର ସଭାପତି ମହନ୍ତ ପର୍ଶୁରାମ ମହାରାଜ ଓ ସାଧାରଣ ସମ୍ପାଦକ ବ୍ରହ୍ମଚାରୀ ହରିଚରଣ ଦାଶ ମହାରାଜ ଯୋଗ ଦେବାର ସ୍ୱୀକୃତି ଦେଇଛନ୍ତି। ଏତଦବ୍ୟତୀତ ଜିଲ୍ଲାର ସମସ୍ତ ଲୋକ ପ୍ରତିିନିଧି, ମାନ୍ୟବର ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମାନ୍ୟବର ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁ ସମେତ ଜିଲ୍ଲାର ସମସ୍ତ ପ୍ରଶାସନ ମୁଖ୍ୟଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଅଛି। ବିଶେଷ କରି ବଲାଙ୍ଗିର ପୌର ପରିଷଦର ଭୂମିକା ପ୍ରଶଂସନୀୟ ବୋଲି ମତ ପୋଷଣ କରିଛନ୍ତି। ସନ୍ଧ୍ୟାରେ ଏକ ବିଶାଳ ଭବ୍ୟ ଶୋଭାଯାତ୍ରା ଶ୍ରୀନୃସିଂହ ମନ୍ଦିର ଠାରୁ ବାହାରି ଦୁର୍ଗା ମନ୍ଦିର, ଶିବ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀ ନାରାୟଣ ମନ୍ଦିର, ଦୈନିକ ବଜାରର ଶ୍ରୀରାମ ମନ୍ଦିର ଛକ, ଗାନ୍ଧୀ ଛକ, କୋଶଲ କଳାମଣ୍ଡଳ ରାସ୍ତା, ପାଶ୍ୱର୍ରେ ଥିବା ସଙ୍କଟମୋଚନ ମନ୍ଦିର, ଭାଗିରଥି ଛକ ଦେଇ ପୁରୁଣା ବସଷ୍ଟାଣ୍ଡ ରେ ଥିବା ହନୁମାନ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ କଚେରୀ ଛକ ଦେଇ ଶ୍ରୀନୃସିଂହ ମନ୍ଦିର ଠାରେ ସମାପନ କରାଯିବ। ଏହି ପ୍ରେସମିଟରେ ଜିଲ୍ଲା ବ୍ରାହ୍ମଣ ମହାସଭାର ବରିଷ୍ଠ ଉପଦେଷ୍ଟା ଜୟରାମ ମିଶ୍ର, ପର୍ଶୁରାମ ନାୟକ, ଉପସଭାପତି ସୁଶ୍ରୀ ରାଜଶ୍ରୀ ତ୍ରିପାଠୀ ଓ କିଶୋର କୁମାର ପୁରୋହିତ, କୋଷାଧ୍ୟକ୍ଷ ରାଜେନ୍ଦ୍ର ମିଶ୍ର, ସଂଗଠନ ସମ୍ପାଦକ ସୋମନାଥ ମିଶ୍ର, ନଗର ସଭାପତି ରାକେଶ ପଣ୍ଡା, ପର୍ଶୁରାମ ବାହିନୀର ସମ୍ପାଦକ ସୁରେଶ ମିଶ୍ର ଓ କୋଷାଧ୍ୟକ୍ଷ ସୁବ୍ରତ ରଞ୍ଜନ ମିଶ୍ର ସମେତ କାର୍ଯ୍ୟକାରୀ କମିଟିର ସଭ୍ୟ ଗିରିଶ ଚନ୍ଦ୍ର ପଣ୍ଡା, ଶିବ ନାରାୟଣ ରଥ, ଜଗଦୀଶ ପ୍ରସାଦ ନାଥ, ସନ୍ତୋଷ ତ୍ରିପାଠୀ, ସୁବାଷ ଶତପଥି, ଗୋବିନ୍ଦ ଶତପଥି ଇତ୍ୟାଦି ଅନେକ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ