ଛଅ ବର୍ଷ ପରେ ବି ସରୁନି ପୋଲ କାମ
ଜୟପୁର, ୧୭ ଏପ୍ରିଲ୍ (ହି.ସ.) - ଛଅ ବର୍ଷ ପରେ ବି ସରୁନି ପୋଲ କାମ ଏପରି ଦୃଶ୍ୟ ଦେଖିବାକୁ ମେଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକରେ । ସମସ୍ତ ଗ୍ରାମ କୁ ଯୋଗାଯୋଗ ସୁଗମ ଏବଂ ଜନସାଧାରଣଙ୍କ ସୁରୁଖୁରରେ ଯାତାୟତ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉ
ଛଅ ବର୍ଷ ବି ସରୁନି ପୋଲ କାମ,


ଜୟପୁର, ୧୭ ଏପ୍ରିଲ୍ (ହି.ସ.) - ଛଅ ବର୍ଷ ପରେ ବି ସରୁନି ପୋଲ କାମ ଏପରି ଦୃଶ୍ୟ ଦେଖିବାକୁ ମେଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକରେ । ସମସ୍ତ ଗ୍ରାମ କୁ ଯୋଗାଯୋଗ ସୁଗମ ଏବଂ ଜନସାଧାରଣଙ୍କ ସୁରୁଖୁରରେ ଯାତାୟତ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ଅନେକ କ୍ଷେତ୍ରରେ ଏହି ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ହୋଇ ପାରୁନି। ପ୍ରଶାସନିକ ଅବହେଳା ଯୋଗୁ ଦୀର୍ଘ ବର୍ଷ ଧରି ଅଧପନ୍ତରିଆ ହୋଇ ପଡ଼ି ରହିଛି ପୋଲ ନିର୍ମାଣ କାର୍ଯ୍ୟ। ଯାହାଫଳରେ ପ୍ରତ୍ୟେକ ଦିନ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହୋଇ ଯାତାୟତ କରିବା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପଂଚାୟତର ଘୋଡାଘାଟ ଗାଁ ପାର୍ଶ୍ୱରେ ପ୍ରବାହିତ ହେଉଛି ଶବରୀ ନଦୀ। ଓଡିଶା ଏବଂ ଛତିଶଗଡ ଦୁଇ ରାଜ୍ୟ ମଧ୍ୟରେ ପ୍ରବାହିତ ହେଉଥିବା ଏହି ନଦୀ ଅଂଚଳବାସୀଙ୍କ ସମସ୍ୟାର କାରଣ ପାଲଟିଛି। ନଦୀର ଉଭୟ ପାର୍ଶ୍ୱରେ ଦୁରୁଆ ଆଦିବାସୀ ସମ୍ପ୍ରଦାୟ ଲୋକେ ବସବାସ କରନ୍ତି। ପ୍ରତିଦିନ ଏମାନଙ୍କ ଛତିଶଗଡ଼ ସହ କୋଟପାଡ ଏବଂ କୁନ୍ଦୁରା ବ୍ଲକ ଯିବାଆସିବା ଲାଗି ରହିଥାଏ। କେବଳ ଯେ ଦୁରୁଆ ସମ୍ପ୍ରଦାୟ ନୁହଁ ନଦୀ ଆରପଟେ ଥିବା ଛତିଶଗଡ ରାଜ୍ୟର ଶହ ଶହ ଶ୍ରଦ୍ଧାଳୁ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରକୁ ଦର୍ଶନ ପାଇଁ ଆସନ୍ତି। ଶିବରାତ୍ରି ସମୟରେ ଏହି ଘାଟରେ ଭକ୍ତଙ୍କ ଭିଡ ଜମିଥାଏ କିନ୍ତୁ ବର୍ଷା ଋତୁରେ କାଠ ଡ଼ଙ୍ଗାରେ ଭରା ନଇ ପାର ହେବା ଜୀବନ ପ୍ରତି ବିପଦ ରହିଛି। ଏଥିଲାଗି ଶ୍ରାବଣ ମାସରେ ଛତିଶଗଡର ଅଧିକାଂଶ ବୋଲବମ ଭକ୍ତ ଗୁପ୍ତେଶ୍ୱର ଦର୍ଶନରୁ ବଂଚିତ ରୁହନ୍ତି। ଏଠାରେ ପୋଲ ନିର୍ମାଣ ହେଲେ ଓଡ଼ିଶା ସହ ଛତିଶଗଡ଼କୁ ଯୋଗାଯୋଗ ସୁବିଧା ହୋଇଥାନ୍ତା। ତେବେ ଅଂଚଳବାସୀଙ୍କ ଦୀର୍ଘ ବର୍ଷର ଦାବି ପରେ ୨୦୧୯ ମସିହାରେ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ନିର୍ମାଣର ଅବଧି ଶେଷ ହେବାର ଛଅ ବର୍ଷ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଧାପନ୍ତରିଆ ହୋଇ ପଡି ରହିଛି ପୋଲ ନିର୍ମାଣ କାମ। ପାଂଚ ବର୍ଷ ପୂର୍ବେ ନଦୀର ଗୋଟିଏ ପାର୍ଶ୍ୱରେ ତିନୋଟି ପିଲାର୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନି। ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହେବା ନେଇ ପୁଣି ଅନିଶ୍ଚିତତା ଦେଖା ଦେଇଛି। ନିର୍ମାଣ କାର୍ଯ୍ୟ ଆରମ୍ଭ ପରେ ଛତିଶଗଡ଼ ପକ୍ଷରୁ ପୋଲ କାମ ବନ୍ଦ କରାଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପୋଲ କାମ ଶେଷ ହୋଇ ପାରୁନି। ବ୍ରିଜ ନିର୍ମାଣକୁ ନେଇ ଅଂଚଳବାସୀ ବହୁବାର ଦାବି କରିଆସୁଛନ୍ତି। ସ୍ଥାନୀୟ ନବରଙ୍ଗପୁର ସାଂସଦ ବଳ ଭଦ୍ର ମାଝୀ ଏବଂ କୋଟପାଡ଼ ବିଧାୟକ ରୁପୁ ଭତ୍ରା ଘଟଣା ସ୍ଥଳରେ ପହଂଚି ସ୍ଥିତି ମଧ୍ୟ ଅନୁଧ୍ୟାନ କରି ଫେରିଛନ୍ତି। ଡବଲ ଇଞ୍ଜିନ ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ଅତିଶୀଘ୍ର ପୋଲ ନିର୍ମାଣ ଶେଷ କରନ୍ତୁ ବୋଲି ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି। ପୋଲ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ରହିଥିବା ନେଇ କୋଟପାଡ଼ ବିଧାୟକ ରୁପୁ ଭତ୍ରାଙ୍କ ଯୋଗାଯୋଗ କରିବାରୁ, ଛତିଶଗଡ଼ ଏବଂ ଓଡ଼ିଶାରେ ଆମ ସରକାରର ଶାସନ ଚାଲିଛି ତେଣୁ କିଛି ଅସୁବିଧା ହେବନି। ଯଥାଶୀଘ୍ର ପୋଲ ନିର୍ମାଣ କାମ ସଂପୂର୍ଣ୍ଣ ହେବ। କେବଳ ସ୍ଥାନୀୟ ଲୋକେ ରାସ୍ତା ଦେବାପାଇଁ ଅରାଜି ଥିବାରୁ ପୋଲ ନିର୍ମାଣ କାମ ବିଳମ୍ବ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାଯାଇ ଶିଘ୍ର ପୋଲ କାମ ସରିବ ବୋଲି କହିଥିଲେ। ତେଣୁ ପ୍ରଶାସନ ତୁରନ୍ତ ପୋଲ ନିର୍ମାଣ କରିବାକୁ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande