


ବାରିପଦା, ୧୮ ଏପ୍ରିଲ୍ (ହି.ସ.)- ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ଓ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା ପ୍ରସଙ୍ଗକୁ ନେଇ ବିଜେପି ସରକାର ଉପରେ ବିରୋଧୀ ବିଜେଡ଼ି ସଣ୍ଡୁଆସି ଆକ୍ରମଣ ଆରମ୍ଭ କରିଛି । ବିଜେପି ସରକାରଙ୍କ ପରିଚାଳନାଗତ ଅପାରଗତା, ଦାୟିତ୍ବହୀନତା କାରଣରୁ ନିଜର ସୁନେଲି ଭବିଷ୍ୟତର କ୍ୟାରିୟର ଗଠନ ପାଇଁ ସରକାରୀ ଆବାସିକ ବିଦ୍ୟାଳୟରେ ଅଧ୍ୟୟନରତ ଜଣେ ନିରୀହ ଛାତ୍ରୀଙ୍କ ମୃତ୍ୟୁ ଏବଂ ଶତାଧିକ ଛାତ୍ରଛାତ୍ରୀ ଗୁରୁତର, ମୃତ ଛାତ୍ରୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, କର୍ତ୍ତବ୍ୟରେ ଅବହେଳା କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଆଦି ଦାବୀ ନେଇ ମୟୁରଭଞ୍ଜ ବିଜେଡ଼ି ପକ୍ଷରୁ ଶନିବାର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ସଫଳ ହୋଇଛି । ଜିଲାର ବାମାନଘାଟି, ପାଞ୍ଚପିଢ଼, କପ୍ତିପଦା ଓ ସଦର ମହକୁମା ବାରିପଦାରେ ସବୁକିଛି ଠପ୍ ହୋଇଯାଇଛି । ବନ୍ଦ ପ୍ରଭାବାରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଗମନାଗମନ, ପରିବହନ, କୋର୍ଟ କଚେରୀ, ଡ଼ାକ ସେବା, ସ୍କୁଲ କଲେଜ, ବ୍ୟାଙ୍କ ଆଦି ସବୁକିଛି ଅଚଳ ହୋଇଯାଇଛି । ବିଜେଡ଼ିର ଜିଲ୍ଲା ସଭାପତି ସୁଦାମ ମାର୍ଣ୍ଡିଙ୍କ ନେତୃତ୍ଵରେ ସଦର ମହକୁମା ବାରିପଦା ଠାରେ ବିଜେଡ଼ି, ଯୁବ, ଛାତ୍ର, ମହିଳା, କୃଷକ, ସଂଖ୍ୟାଲଘୁ ମୋର୍ଚ୍ଚା ଆଦି ସଂଗଠନର ଶହଶହ କର୍ମୀ ଓ ସମର୍ଥକ ରାସ୍ତାକୁ ଓହ୍ଲାଇ ଆସିଥିଲେ । ବିଜେଡିର ଏହି ବନ୍ଦ ଡାକରାକୁ ସମର୍ଥନ ଦେଇ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା, ସଦସ୍ୟ, ସମର୍ଥକମାନେ ମଧ୍ୟ ପିକେଟିଂରେ ସାମିଲ ହୋଇଥିଲେ ।
ସୂଚନା ଯୋଗ୍ୟ, ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନ କାକବନ୍ଧ ଅନୁସୂଚିତ ଜାତି ଓ଼ ଜନଜାତି ଆଶ୍ରମ ବିଦ୍ୟାଳୟର ୧୪୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଗତ ରବିବାର ଦିନ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ କିଛି ଛାତ୍ରୀଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଛାତ୍ରୀ ଜଣକ ପଞ୍ଚମ ଶ୍ରେଣୀର ରୁପାଲି ବେସ୍ରା ଓ ଘର ନଳଗଜା ନୁଣଚାଟି ଗ୍ରାମରେ । ହଷ୍ଟେଲରେ ଛାତ୍ରଛାତ୍ରୀ ମାନଙ୍କୁ ସକାଳେ ୯ଟା ସମୟରେ ପଖାଳ ଓ ଆଳୁ ଖାଇବାକୁ ଦିଆଯାଇଥିଲା । ଖାଦ୍ୟ ମେନୁ ଅନୁଯାୟୀ ସକାଳ ୭ଟା ସମୟରେ ଉପମା ଥିବା ବେଳେ ଉପମା ଦିଆଯାଇନଥିଲା । ତେବେ ପୂର୍ବାହ୍ନ ୯ଟାରେ ଭାତ, ଆଳୁ ଖାଇବାକୁ ଦିଆଯାଇଥିଲା। ଖାଇ ସାରିବାର କିଛି ସମୟ ମଧ୍ୟରେ ହଷ୍ଟେଲର ଜଣେ ପରେ ଜଣେ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ହଷ୍ଟେଲ ଓ଼ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ମେକିକାଲ ନନେଇ ନିଜେ ନିଜେ ପ୍ରାଥମିକ ଚିକିତ୍ସା କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଦୀର୍ଘ ସମୟ ପରେ ରାସଗୋବିନ୍ଦପୁର ମେଡିକାଲକୁ ଅଟୋ ଯୋଗେ ଅଣାଯାଇଥିଲା । ପୁଣି ହଷ୍ଟେଲ ଥିବା ଆଉ କିଛି ପିଲା ଗୁରୁତର ହେବାରୁ ପରେ ଅନେକ ଛାତ୍ର ଛାତ୍ରୀଙ୍କୁ ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ସାଲାଇନ ଦେବା ସହିତ ଚିକିତ୍ସା ଜାରି ରହିଛି ଏବଂ ଦୂଷିତ ଖାଦ୍ୟ ଖାଇ ଫୁଡ ପଏଜନ ହୋଇଥାଇପାରେ ବୋଲି ଡାକ୍ତର ଏସ ମଣ୍ଡଳ ସୂଚନା ଦେଇଥିଲେ ।
ପ୍ରକାଶ ଥାଉକି, ଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପାଣିଗ୍ରାହୀଙ୍କୁ ନିଲମ୍ବନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ