
ଝାରସୁଗୁଡା, ୧୮ ଏପ୍ରିଲ୍ (ହି.ସ.)- ଝାରସୁଗୁଡା ବିମାନ ବନ୍ଦରରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ଚଳାଚଳ କରୁଥିବା ଷ୍ଟାର୍ ଏୟାରର ବିମାନ ସେବା ଗତ ୧୦ ତାରିଖରୁ ବନ୍ଦ ହୋଇଯାଇଥିବାରୁ ପଶ୍ଚିମ ଓଡିଶାର ଯାତ୍ରୀମାନେ ଗୁରୁତର ସମସ୍ୟାରେ ପଡ଼ିଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଶୀଘ୍ର ବିମାନ ସେବା ପୁନରାରମ୍ଭ ପାଇଁ ଦାବି ଜଣାଇଛନ୍ତି।
ବିଧାୟକ ଶ୍ରୀ ତ୍ରିପାଠୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଷ୍ଟାର୍ ଏୟାର ସେବା ବନ୍ଦ ହେବାରୁ ଝାରସୁଗୁଡାରୁ ଭୁବନେଶ୍ୱର ଓ ହାଇଦ୍ରାବାଦ ସହ ଆକାଶ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ବିଶେଷକରି ଭୁବନେଶ୍ୱର ମାର୍ଗରେ ଅନ୍ୟ କୌଣସି ବିକଳ୍ପ ବିମାନ ସୁବିଧା ନଥିବାରୁ ଏହା ଅଞ୍ଚଳର ବ୍ୟବସାୟୀ, ରୋଗୀ ଓ ସାଧାରଣ ଯାତ୍ରୀମାନଙ୍କୁ ବେଶ ପ୍ରଭାବିତ କରିଛି। ପଶ୍ଚିମ ଓଡିଶାର ଲୋକମାନଙ୍କ ସୁବିଧା ଓ ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଏହି ବିମାନ ସେବା ପୁନରାରମ୍ଭ କରାଯାଉ ବୋଲି ବିଧାୟକ ତାଙ୍କ ପତ୍ରରେ ଜୋର ଦେଇ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ