
ଝାରସୁଗୁଡ଼ା, ୧୮ ଏପ୍ରିଲ୍ (ହି.ସ.)- ଓଡ଼ିଶା ଜୈବବିବିଧତା ପରିଷଦ, ଝାରସୁଗୁଡ଼ା ବନଖଣ୍ଡ ଓ ଭୁବନେଶ୍ୱର ସ୍ଥିତ ସପ୍ନା ଅନୁଷ୍ଠାନର ସଂଯୁକ୍ତ ଉଦ୍ୟମରେ ଜୈବବିବିଧତା ପରିଚାଳନା କମିଟି (ବିଏମସି) ସଦସ୍ୟମାନଙ୍କ ପାଇଁ ଦୁଇଦିନିଆ ଦକ୍ଷତା ବୃଦ୍ଧି ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ସମ୍ମିଳନୀ କକ୍ଷରେ ଏପ୍ରିଲ ୧୭ ଓ ୧୮ ତାରିଖରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜୈବବିବିଧତା ସଂରକ୍ଷଣ, ଜନ ଜୈବବିବିଧତା ପଞ୍ଜିକା ପ୍ରସ୍ତୁତି ଓ ସ୍ଥାନୀୟ ଜୈବ ସମ୍ପଦର ସଠିକ ପରିଚାଳନା ସମ୍ବନ୍ଧୀୟ ଜ୍ଞାନକୁ ସୁଦୃଢ଼ କରିବା। ଏହି ଅବସରରେ କିର୍ମିରା ଅଞ୍ଚଳର ଜି.ପାନପଲ୍ଲୀ ଗ୍ରାମ ପଞ୍ଚାୟତ ବିଏମସିକୁ ଏକ ବିଶେଷ ଷ୍ଟାର୍ଟଅପ ପାଣ୍ଠି ଯୋଗାଇ ଦିଆଯାଇଥିଲା।
ଶିବିରରେ ଝାରସୁଗୁଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ବ୍ରଜବନ୍ଧୁ ଭୋଇ ଓ ବନଖଣ୍ଡ ଅଧିକାରୀ ମନୁ ଅଶୋକ ଭଟ୍ଟ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଏହା ସହ ଓଡ଼ିଶା ଜୈବବିବିଧତା ବୋର୍ଡର ଡ଼ିଏଫଓ ଶିଶିର କୁମାର ମିଶ୍ର, ବରିଷ୍ଠ ବୈଜ୍ଞାନିକ ଡଃ ସତ୍ୟ ରଞ୍ଜନ ବେହେରା, ଡଃ ପ୍ରସନ୍ନ କୁମାର ନାୟକ ଓ ପ୍ରଫେସର ଶିବ ପ୍ରସାଦ ପରିଡ଼ା ବୈଜ୍ଞାନିକ ଭିତ୍ତିରେ ପରିବେଶ ଓ ଜୀବଜନ୍ତୁ ସଂରକ୍ଷଣ ବିଷୟରେ ବିସ୍ତୃତ ଅଲୋଚନା କରିଥିଲେ। ଜିଲ୍ଲାର ବିଭିନ୍ନ ବିଏମସିର ସଦସ୍ୟମାନେ ଶିବିରରେ ଯୋଗଦେଇଥିଲେ। ଗ୍ରାମ ପଞ୍ଚାୟତ ସ୍ତରରେ କମିଟିଗୁଡ଼ିକୁ କିପରି ଅଧିକ କ୍ରିୟାଶୀଳ କରାଯାଇପାରିବ ଓ ସ୍ଥାନୀୟ ଲୋକମାନେ କିପରି ଏହାର ଲାଭ ପାଇପାରିବେ, ସେଥିପରେ ଗୁରୁତ୍ୱ ଦିଆଯାଇଥିଲା।
ସପ୍ନା ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ସୌମ୍ୟ ଶେଖର ମିଶ୍ରଙ୍କ ସହ ମନୋରଞ୍ଜନ ମିଶ୍ର, ପ୍ରିୟବ୍ରତ ଦାଶ ଓ ଶିବ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉପସ୍ଥିତ ସଦସ୍ୟମାନେ ଏହି ଶିବିରକୁ ପରିବେଶ ଓ ଜଙ୍ଗଲ ସମ୍ପଦ ସୁରକ୍ଷା ପାଇଁ ଅତ୍ୟନ୍ତ ଉପକାରୀ ଓ ଶିକ୍ଷଣୀୟ ବୋଲି ମତ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ