
ପୁରୀ, ୧୮ ଏପ୍ରିଲ୍ (ହି.ସ.)- ପବିତ୍ର ଚନ୍ଦନ ଯାତ୍ରା ୨୦୨୬ କୁ ଶାନ୍ତିପୂର୍ଣ୍ଣ, ସୁସଂଘଟିତ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ପୁରୀ ପୋଲିସର ସିଟି ସବ୍-ଡିଭିଜନ ପକ୍ଷରୁ ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ସହରର ସମସ୍ତ ଥାନା କୁମ୍ଭାରପଡା, ତାଳବଣିଆ, ସୀବିଚ, ବାଳିଆପଣ୍ଡା, ବାସେଳିସାହି ଓ ଟାଉନ ଥାନା ସମନ୍ୱୟରେ କାର୍ଯ୍ୟ କରି ଅପରାଧ ନିୟନ୍ତ୍ରଣ ଓ ଲୋକଶାନ୍ତି ରକ୍ଷା ପାଇଁ ଗୁରୁତ୍ୱ ଦେଇଛନ୍ତି। ୦୧.୦୧.୨୦୨୬ ରୁ ଏପର୍ଯ୍ୟନ୍ତ ଏହି ଅଭିଯାନ ଅବଧିରେ ନିମ୍ନଲିଖିତ ଉଲ୍ଲେଖନୀୟ ସଫଳତା ମିଳିଛି। ସମୁଦାୟ ଭାବେ ୨୩୧ ଜଣ ଆଣ୍ଟି-ସୋସିଆଲ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ଯାହାଦ୍ଵାରା ଅପରାଧ ନିୟନ୍ତ୍ରଣରେ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇଛି।
ନାର୍କୋଟିକ୍ସ ଓ ଅବୈଧ ଔଷଧ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନରେ ୧୫ଟି କୋରେକ୍ସ ମାମଲା ରେଜିଷ୍ଟର ହୋଇ ୧୯ ଜଣ ଗିରଫ ହୋଇଛନ୍ତି ଓ ପ୍ରାୟ ୧୧୭୧ଟି କଫ୍ ସିରାପ ବୋତଲ ଜବତ କରାଯାଇଛି। ସେହିପରି, ୧୧ଟି ବ୍ରାଉନ୍ ସୁଗାର ମାମଲାରେ ୨୫ ଜଣ ଗିରଫ ହୋଇ ୧୫୨ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି, ଯାହା ନିଶାଦ୍ରବ୍ୟ ବିରୋଧରେ ପୋଲିସଙ୍କ ଦୃଢ଼ ଅଭିଯାନକୁ ପ୍ରମାଣ କରେ। ଏହା ସହିତ, ଅବୈଧ ମଦ୍ୟ ବିକ୍ରୟ ଓ ତିଆରି ବିରୋଧରେ ୪୩ଟି ଏକ୍ସାଇଜ୍ ମାମଲାରେ ୪୩ ଜଣ ଗିରଫ କରାଯାଇଛନ୍ତି ଓ ବିଭିନ୍ନ ପ୍ରକାର ମଦ୍ୟ ଓ ସାମଗ୍ରୀ ଜବତ କରାଯାଇଛି। ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଓ ଅନୁଶାସନ ଭଙ୍ଗ ବିରୋଧରେ କଠୋର ଅଭିଯାନ ଚଳାଇ ୭୫୦ ଜଣଙ୍କ ବିରୋଧରେ ପିଆର୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଟ୍ରାଫିକ୍ ନିୟମ ଉଲ୍ଲଂଘନ, ବିଶେଷ କରି ମଦ୍ୟପାନ କରି ଗାଡ଼ି ଚଳାଇବା ବିରୋଧରେ ୧୪୫ଟି ଡ୍ରଙ୍କ ଏଣ୍ଡ ଡ୍ରାଇଭିଂ ମାମଲା ଟ୍ରାଫିକ ଥାନା ଦ୍ଵାରା ରେଜିଷ୍ଟର ହୋଇଛି। ଏହି ସମସ୍ତ କାର୍ଯ୍ୟାନୁଷ୍ଠାନ ଦ୍ଵାରା ପୁରୀ ସହରରେ ଆଇନ-ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି। ଚନ୍ଦନ ଯାତ୍ରା ସମୟରେ ଭକ୍ତମାନଙ୍କ ସୁବିଧା, ସୁରକ୍ଷା ଓ ନିର୍ବିଘ୍ନ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା, ପେଟ୍ରୋଲିଂ, ଚେକିଂ ଓ ଇଣ୍ଟେଲିଜେନ୍ସ ମନିଟରିଂ ବଢ଼ାଯାଇଛି। ପୁରୀ ପୋଲିସ ସମସ୍ତ ନାଗରିକ ଓ ଭକ୍ତମାନଙ୍କୁ ଅନୁରୋଧ କରୁଛନ୍ତି ଯେ, ସେମାନେ ଆଇନ ଓ ଶୃଙ୍ଖଳାକୁ ସମ୍ମାନ କରି ଏହି ପବିତ୍ର ପର୍ବକୁ ସୁନିୟୋଜିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନରେ ସହଯୋଗ କରନ୍ତୁ। କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ପୋଲିସକୁ ୧୧୨ରେ ସୂଚନା ଦେବା ପାଇଁ ଅନୁରୋଧ ଜଣାଯାଉଛି। ପୁରୀ ପୋଲିସ ଆପଣଙ୍କ ସୁରକ୍ଷା ପାଇଁ ସଦା ସଚେତନ ଓ ପ୍ରତିବଦ୍ଧ।
ହିନ୍ଦୁସ୍ଥାନ ସମାଚାର / ବିଜୟ