
ଓଡ଼ିଶାର ସାଂସଦ ସଂଖ୍ୟା ୨୧ରୁ ୩୨କୁ ବୃଦ୍ଧି ପାଇଲେ ବିଜେଡ଼ିକୁ ଅସୁବିଧା କେଉଁଠି - ଧର୍ମେନ୍ଦ୍ର ପ୍ରଧାନ
• ବିରୋଧୀ ଦଳ ନେତାଙ୍କ ବକ୍ତବ୍ୟ ଓଡ଼ିଶାବାସୀଙ୍କ ମନରେ ଭ୍ରମ ତିଆରି କରୁଛି, ସେ ଯେଉଁ କଥା କହିଛନ୍ତି, ତାହା ଭିତ୍ତିହୀନ ଓ ହାସ୍ୟାସ୍ପଦ ଭଳି ମନେହେଉଛି
ଭୁବନେଶ୍ୱର, 19 ଏପ୍ରିଲ (ହି.ସ.)ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇବା ଭଳି ଏକ ସକାରାତ୍ମକ ସମ୍ଭାବନାକୁ ନେଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କାହିଁକି ଭୟଭୀତ ଓ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି, ତାହା ବୁଝାପଡ଼ୁନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତି ଆଶ୍ଚର୍ଯ୍ୟଜନକ । ତାଙ୍କ ଭଳି ବ୍ୟକ୍ତିଙ୍କ ବକ୍ତବ୍ୟ ଓଡ଼ିଶାବାସୀଙ୍କ ମନରେ ଭ୍ରମ ତିଆରି କରୁଛି । ସେ ଯେଉଁ କଥା କହିଛନ୍ତି, ତାହା ଭିତ୍ତିହୀନ ଓ ହାସ୍ୟାସ୍ପଦ ଭଳି ମନେହେଉଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତତୃତ୍ୱାଧୀନ ସରକାର 'ନାରୀ ଶକ୍ତି ବନ୍ଦନ ଅଧିନିୟମ' ମାଧ୍ୟମରେ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି, ଗତ ୧୬ ଓ ୧୭ ତାରିଖରେ ସଂସଦରେ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଚର୍ଚ୍ଚା କରିବା ସମୟରେ, ଦେଶର ସବୁ ରାଜ୍ୟ ସମେତ ଓଡ଼ିଶାର ପ୍ରତିନିଧିତ୍ୱ ୫୦ ପ୍ରତିଶତ ବଢ଼ିବ ବୋଲି ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି । ଏହା ଫଳରେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ରୁ ବୃଦ୍ଧି ପାଇ ୩୨ ହେବ ଏବଂ ତତସହିତ ଅତିକମରେ ୧୧ ଜଣ ମହିଳା ନୂଆ ସାଂସଦ ଭାବେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ । ବର୍ତ୍ତମାନ ଦେଶର ଲୋକସଭା ସିଟ୍ ଆଧାରରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୮୭ ପ୍ରତିଶତ ଥିବା ବେଳେ ଏହି ଆସନ ବଢ଼ିଲେ ୩.୯୧ ପ୍ରତିଶତକୁ ବୃଦ୍ଧି ପାଇବ, ଯାହା ଦ୍ୱାରା ଜାତୀୟ ସ୍ତରରେ ଓଡ଼ିଶାର ଭୂମିକା ସୁଦୃଢ଼ ହେବ । ନବୀନ ବାବୁଙ୍କ ଭଳି ବ୍ୟକ୍ତିଙ୍କ ଠାରୁ ସତ୍ୟ ଅଧାରିତ ତଥ୍ୟ ଅପେକ୍ଷା କରାଯାଏ । ମିଥ୍ୟା ପ୍ରଚାର ନକରି ତଥ୍ୟଭିତ୍ତିକ ସତ୍ୟ ପ୍ରକାଶ କଲେ ଓଡ଼ିଶାର ପ୍ରକୃତ ହିତ ସାଧିତ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ