
ଭୁବନେଶ୍ୱର, 19 ଏପ୍ରିଲ୍ (ହି.ସ.): ରାଜ୍ୟରେ ପ୍ରବଳ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅନୁଗୁଳ,ଖୋର୍ଦ୍ଧା ଓ ଦେବଗଡ଼ ଜିଲ୍ଲା
ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଭାବେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସହିତ ଅଙ୍ଗନୱାଡ଼ି
କେନ୍ଦ୍ରଗୁଡ଼ିକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି।
ଜିଲ୍ଲା ପ୍ରଶାସନଙ୍କ ଜାରି
କରାଯାଇଥିବା ଔପଚାରିକ ନିର୍ଦ୍ଦେଶ ଅନୁଯାୟୀ,
ଖୋର୍ଦ୍ଧା ଓ ଦେବଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ 20
ଏପ୍ରିଲ୍ ଠାରୁ 23 ଏପ୍ରିଲ୍ 2026 ପର୍ଯ୍ୟନ୍ତ ବନ୍ଦ ରହିବ। ଅନ୍ୟପଟେ, ଅନୁଗୁଳ
ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର 20 ଏପ୍ରିଲ୍ ଠାରୁ 22 ଏପ୍ରିଲ୍ 2026 ପର୍ଯ୍ୟନ୍ତ ବନ୍ଦ ରହିବ।
ପ୍ରଶାସନ ଶିକ୍ଷା ବିଭାଗର
ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ,
ଏହି ନିର୍ଦ୍ଦେଶକୁ କଡ଼ାକଡ଼ିରେ ପାଳନ କରାଯିବାକୁ ସୁନିଶ୍ଚିତ
କରନ୍ତୁ, ଯାହା
ଫଳରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରହିପାରିବ।
ଅଧିକାରୀମାନେ ଏହା ମଧ୍ୟ
ସ୍ପଷ୍ଟ କରିଛନ୍ତି ଯେ, ଯଦି ଏହି ସମୟସୀମାରେ କୌଣସି ପରୀକ୍ଷା ନିର୍ଦ୍ଧାରିତ ଅଛି, ତେବେ
ସେଗୁଡ଼ିକୁ କେବଳ ସକାଳ ସମୟରେ ଆୟୋଜନ କରାଯିବ ।
ଏହି ନିଷ୍ପତି ରାଜ୍ୟରେ
ବଢ଼ୁଥିବା ତାପମାତ୍ରା ଓ ଭାରତ ପାଣିପାଗ ବିଜ୍ଞାନ କେନ୍ଦ୍ର ଦ୍ୱାରା ଜାରି ହୋଇଥିବା ହିଟୱେଭ
ସତର୍କତାକୁ ଧ୍ୟାନରେ ରଖି ନିଆଯାଇଛି।
ପ୍ରଶାସନ ଅଭିଭାବକ ଓ
ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି ଯେ,
ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ, ଦ୍ୱିପ୍ରହର
ସମୟରେ ଅନାବଶ୍ୟକ ଭାବେ ବାହାରକୁ ଯିବାରୁ ଦୂରେଇ ରୁହନ୍ତୁ ଓ ଗରମ ସମ୍ପର୍କିତ ସ୍ୱାସ୍ଥ୍ୟ
ସମସ୍ୟାରୁ ବଞ୍ଚିବା ପାଇଁ ଆବଶ୍ୟକ ସତର୍କତା ଅନୁସରଣ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା