
ଭୁବନେଶ୍ୱର, 26 ଏପ୍ରିଲ (ହି.ସ.)- ପୁଣ୍ୟଶ୍ଲୋକ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର
ଗଜପତିଙ୍କ ନିଜର ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀତ୍ୱ ସମୟରେ ଓଡ଼ିଶାରେ ଶିକ୍ଷା ଓ କୃଷି ଓ ଜଳସେଚନର
ବିକାଶ ପାଇଁ ଯେଉଁ କେତେକ ସ୍ୱାକ୍ଷର ଛାଡ଼ି ଯାଇଛନ୍ତି ସେଥିପାଇଁ ସେ ହୋଇପାରିଛନ୍ତି ଏ ଜାତିର
ଗର୍ବ ଓ ଗୌରବ ବୋଲି ଆଜି ସ୍ଥାନୀୟ ଏ.ଜି. ଛକ ଠାରେ ପାରଳା ମହାରାଜାଙ୍କ ୧୩୫ ତମ ଜୟନ୍ତୀ
ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ ମତବ୍ୟକ୍ତ କରିଛନ୍ତି ।
ରାଜଧାନୀର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ପାରଳା ଗଜପତି
ବିକାଶ ମଞ୍ଚ ଓ ରାଜ୍ୟ ସୂଚନା ଓ ଲୋକସମ୍ପକ ବିଭାଗର ମିଳିତ ଆନୁକୂଲ୍ୟରେ ମହାରାଜାଙ୍କ
ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ଅବସରରେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ
କହିଥିଲେ ଯେ, “ମହାରାଜା ଗଜପତିଙ୍କ
ଦ୍ୱାରା ଆରମ୍ଭ କରାଯାଇଥିବା ଅନେକ ବିକାଶମୂଳକ କାର୍ଯ୍ୟ ଯୋଗୁ ଓଡ଼ିଶା ଜାତୀୟସ୍ତରରେ ପରିଚିତି
ହାସଲ କରିଛି । ତିନି ତିନି ଥର ଗୋଲ୍ଟେବୁଲ ବୈଠକରେ ଯୋଗ ଦେଇ ସ୍ୱତନ୍ତ୍ର ଭାଷାଭିତ୍ତିକ
ପ୍ରଦେଶ ଗଠନ କରିବାରେ ପ୍ରମୁଖ ବିନ୍ଧାଣି ସାଜିଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅନେକ
କାର୍ଯ୍ୟ ଆଜିସୁଦ୍ଧା ଅପୂରଣୀୟ ହୋଇରହିଛି । ଆଜିର ପିଢ଼ିଙ୍କ ଦ୍ୱାରା ସେସବୁ ପ୍ରତି ଧ୍ୟାନ ଦେଇ
ତାହା ସମ୍ପୂର୍ଣ୍ଣ କରାଯାଇପାରିଲେ ଗଜପତିଙ୍କ ପ୍ରତି ତାହା ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି ।
ପ୍ରାରମ୍ଭରେ ସରଗମ୍ ଅନୁଷ୍ଠାନର କୁନି କଳାକାରମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ବୃନ୍ଦଗାନ
ପରେ ରାଜଧାନୀସ୍ଥିତ ପୂଜ୍ୟପୂଜା ସଂସଦର ସଭାପତି ସ୍ତମ୍ଭକାର ପ୍ରଦ୍ୟୁମ୍ନ ଶତପଥୀ ମହାରାଜାଙ୍କ
ଗୁଣାବଳୀ ସମ୍ପର୍କରେ ସବିଶେଷ ଉପସ୍ଥାପନା କରିଥିଲେ । ପାରଳା ଗଜପତି ବିକାଶ ମଞ୍ଚର ସଭାପତି
ଦିଗ୍ବିଜୟ ନାଥ ପାଢ଼ୀ ଓ ସମ୍ପାଦକ ରାଜ କିଶୋର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ମଞ୍ଚର
ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ବୃନ୍ଦ ସର୍ବଶ୍ରୀ ସତ୍ୟନାରାୟଣ ଦାସ, ରମେଶ ଚୌଧୁରୀ, ପ୍ରଶାନ୍ତ କୁମାର
ପାଢ଼ୀ, କିଶୋର ପଟ୍ଟନାୟକ, ଉମାକାନ୍ତ ପାତ୍ର, ଅନୁକା ଜେନା, ରୁଦ୍ରପ୍ରସାଦ ନାୟକ, ବିଘ୍ନେଶ୍ୱର ସାହୁ, ରଘୁରାଜ ରାଜଗୁରୁ, କୃଷ୍ଣ ପ୍ରସାଦ
ନାୟକ, ସୁବୋଧ ପାତ୍ର, ଅରୁଣ ପାଢ଼ୀ, କୈଳାସ ପାଣିଗ୍ରାହୀ, ସୁଚିତ୍ରା ପାଢ଼ୀ, ଅସ୍ମିତା
ପାଣିଗ୍ରାହୀ, ବିକାଶ ରଞ୍ଜନ
ଚୌଧୁରୀ, ଗୌର ମହାପାତ୍ର, ପୃଥ୍ୱୀରାଜ ପାଣି, ରଞ୍ଜୀତ୍ ଖଡ୍ଗରାୟ
ପ୍ରମୁଖ ଶତାଧିକ ସଦସ୍ୟ ଏବଂ ଉତ୍କଳ ସମ୍ମିଳନୀର ବିଭିନ୍ନ କର୍ମକର୍ତ୍ତା ମଧ୍ୟ ଯୋଗଦାନ କରିଥିଲେ
। ଲୋକସମ୍ପର୍କ ବିଭାଗର ଉପ-ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା