ନେଟୀଡିହିରେ ଅଜଣା ବୃଦ୍ଧାଙ୍କ ମୃତ୍ୟୁ : ଅଂଶୁଘାତ ସନ୍ଦେହ
ଝାରସୁଗୁଡ଼ା, ୨୭ ଏପ୍ରିଲ୍ (ହି.ସ.)- କୋଲାବିରା ଥାନା ଅଧିନସ୍ଥ ନେଟୀଡିହି ଗ୍ରାମରେ ରବିବାର ସନ୍ଧ୍ୟାରେ ଜଣେ ଅଜଣା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗ୍ରାମବାସୀଙ୍କ ସୂଚନା ଅନୁସାରେ, ବୃଦ୍ଧା ଜଣକ ଦୁଇରୁ ତିନି ଦିନ ଧରି ପତ୍ରାପାଲି, ନେଟୀଡିହି ଓ ରଘୁନାଥପାଲି ଅଞ୍ଚଳରେ
ନେଟୀଡିହିରେ ଅଜଣା ବୃଦ୍ଧାଙ୍କ ମୃତ୍ୟୁ : ଅଂଶୁଘାତ ସନ୍ଦେହ


ଝାରସୁଗୁଡ଼ା, ୨୭ ଏପ୍ରିଲ୍ (ହି.ସ.)- କୋଲାବିରା ଥାନା ଅଧିନସ୍ଥ ନେଟୀଡିହି ଗ୍ରାମରେ ରବିବାର ସନ୍ଧ୍ୟାରେ ଜଣେ ଅଜଣା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗ୍ରାମବାସୀଙ୍କ ସୂଚନା ଅନୁସାରେ, ବୃଦ୍ଧା ଜଣକ ଦୁଇରୁ ତିନି ଦିନ ଧରି ପତ୍ରାପାଲି, ନେଟୀଡିହି ଓ ରଘୁନାଥପାଲି ଅଞ୍ଚଳରେ ଘୁରି ବୁଲୁଥିବା ଦେଖାଯାଇଥିଲା।

ରବିବାର ସନ୍ଧ୍ୟାରେ ନେଟୀଡିହି ଗ୍ରାମର ଏକ ଚାଷ ଜମିରେ ବୃଦ୍ଧାଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଗ୍ରାମବାସୀ ତୁରନ୍ତ କୋଲାବିରା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ କୋଲାବିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବୃଦ୍ଧାଙ୍କ ପରିଚୟ ସନ୍ଧାନ ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ବୃଦ୍ଧାଙ୍କ ବୟସ ପ୍ରାୟ ୬୦ ରୁ ୬୫ ବର୍ଷ ମଧ୍ୟରେ ହେବ ବୋଲି କୋଲାବିରା ଥାନାର ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ ପ୍ରଧାନ ସୂଚନା ଦେଇଛନ୍ତି।

ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁଯାୟୀ, ତୀବ୍ର ଗ୍ରୀଷ୍ମ ତାପମାତ୍ରାର ପ୍ରଭାବରେ ଅଂଶୁଘାତ ଯୋଗୁଁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande