
କେନ୍ଦୁଝର, ୨୭ ଏପ୍ରିଲ୍ (ହି.ସ.) - କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଘଟିଛି ଚାଂଚଲ୍ୟକର ଘଟଣା। ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ । ଏଭଳି ଚାଂଚଲ୍ୟକର ଘଟଣା ଘଟିଛି ପାଟଣା ବ୍ଲକ ମଲିପଶି ବ୍ୟାଙ୍କ ସାମ୍ନାରେ । ଶବ ରଖି ମୃତ ଭଉଣୀ ଜମା ବ୍ୟାଙ୍କରେ ରଖିଥିବା ଟଙ୍କା ମାଗିଥିଲେ ବୃଦ୍ଧ ବ୍ୟକ୍ତି ।
ଆଜି ମଲ୍ଲୀପଶି ଅଂଚଳରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଜଣେ ମୃତ ଦେହକୁ ବ୍ୟାଙ୍କ ସାମ୍ନାକୁ ଆଣି ଟଙ୍କା ଦାବି କରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ମଲ୍ଲିପୋଷୀ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ନିକଟସ୍ଥ ଡ଼ିଆନାଳି ଗାଁର ଜିତୁ ମୁଣ୍ଡା ନିଜ ଭଉଣୀର ମୃତଦେହ ଖୋଳି ବ୍ୟାଙ୍କ ସମ୍ମୁଖରେ ପହଂଚିଥିଲେ। ଜିତୁ ମୁଣ୍ଡାଙ୍କ ଭଉଣୀ କାଲା ମୁଣ୍ଡାଙ୍କ ନାଁର ଥିବା ୧୯ହଜାର ୩୦୦ ଟଙ୍କାର ଜମା ରାଶି ପାଇବା ପାଇଁ ସେ ଏପରି ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି । ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଭିଡ଼ ଜମିବା ସହ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା ।
ସୂଚନା ଅନୁଯାୟୀ ଜିତୁ ମୁଣ୍ଡା ୨ ଦିନ ପର୍ବରୁ ମୃତ ଭଉଣୀଙ୍କ ଜମା ଟଙ୍କା ଆଣିବାକୁ ବ୍ୟାଙ୍କ ଯାଇଥିଲେ । କିନ୍ତୁ ବ୍ୟାଙ୍କ କର୍ତୃପକ୍ଷ ଟଙ୍କା ଦେବା ପାଇଁ ମନା କରିଦେଇଥିଲେ । ମୃତ ବ୍ୟକ୍ତିର ପୁଅ ଝିଅ କି ସ୍ୱାମୀ ଆସିଲେ ଟଙ୍କା ଦିଆଯିବ ବୋଲି ପ୍ରକାଶ କରିଥିଲେ। ଏଥିରେ ବିରକ୍ତ ହୋଇ ପରେ ଜିତୁ ମୁଣ୍ଡା ମଶାଣିରୁ ଭଉଣୀର ମୃତଦେହକୁ ଖୋଳି ବ୍ୟାଙ୍କ ଆଗରେ ରଖି ଟଙ୍କା ମାଗିଥିଲେ । ଭଉଣୀ କାଲା ମୁଣ୍ଡାଙ୍କ କିଛି ଦିନ ତଳେ ମୃତ୍ୟୁ ହୋଇଥିଲା । ତାଙ୍କ ନାଁରେ ଏହି ବ୍ୟାଙ୍କରେ ଟଙ୍କା ଜମା ଥିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା । ପରେ ବ୍ୟାଙ୍କ କର୍ତୃପକ୍ଷ ପୋଲିସଙ୍କୁ ଖବର ଦେବା ପରେ, ମୃତଦେହକୁ ନେଇ ପୁନର୍ବାର ପୋତି ଦିଆଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA