
ଜୟପୁର, ୨୭ ଏପ୍ରିଲ୍ (ହି.ସ.)- ଆଧୁନିକ ଯୁଗରେ ମଣିଷ ଭୁଲିନି ନିଜର କଳା, ସଂସ୍କୃତି ଓ ପରମ୍ପରା । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପୋଡ଼ାପଦର୍ ଗାଁରେ ପାଳନ ହୋଇଛି ଆଦିବାସୀଙ୍କ ବିଶ୍ୱାସ ବହନ କରୁଥିବା ବାଲିଯାତ୍ରା । ପୋଡ଼ାପଦର୍ ଗାଁରେ ନିଆରା ଢଙ୍ଗରେ ଏହି ଯାତ୍ରା ପାଳନ କରିଛନ୍ତି ପିଲା ଠୁ ବୟସ୍କ, ୩ ବର୍ଷରେ ଥରେ ପାଳନ ହେଉଥିବା ଐତିହାସିକ ବାଲିଯାତ୍ରାକୁ ବେଶ୍ ଧୁମ୍ ଧାମରେ ପାଳନ କରାଯାଇଛି । ପୋଡାପଦର୍ ସହିତ ଆଖପାଖ ଗାଁରୁ ହଜାର ହଜାର ଲୋକ ରୁଣ୍ଡ ହୋଇ ୩ ବର୍ଷ ପରେ ପାରମ୍ପରିକ ରୀତି ନୀତିରେ ବାଜା ବାଜଣା ବାଣ ଫୁଟାଇବା ସହିତ ବିଭିନ୍ନ ଆଦିବାସୀ ଲୋକ ସଂସ୍କୃତି ନୃତ୍ୟ ପଟୁଆର କରି ନାଚ ଗୀତରେ ଧୁମରେ ଝୁମିଛନ୍ତି । ଏହି ଅବସରରେ ଆଦିବାସୀଙ୍କ ଦେବତା ଭିମା ଭିମାଣିଙ୍କୁ ପୂଜା କରାଯାଇଛି ।
ବାଲି ଘରୁ ବାଲି ଚାଙ୍ଗୁଡ଼ିରେ ଅଂକୁର ଶସ୍ୟକୁ ମହିଳା ମାନେ ନିଜ ନିଜର ମୁଣ୍ଡରେ ବୋହି ନେଇଥିବା ବେଳେ ପୁରୁଷ ମାନେ ଚାଷ କାମରେ ବ୍ୟବହୃତ ହଳ, ଲଙ୍ଗଳ, କୋଡ଼ି, କୋଦାଳକୁ ବୋହି ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମାରେ ବାହାରି ଧାର୍ଯ୍ୟ ସମୟ ଅନୁଯାୟୀ ଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଛି । ବାଲିରେ ଶସ୍ୟ ଯାତ ଦ୍ରବ୍ୟ ଯଥା ଧାନ, ଗହମ, ମାଣ୍ଡିଆ, ମକା, ଶୁଆଁ, ମୁଗ, ବିରି ଆଦି ବୁଣା ଯାଏ ଯେଉଁ ଦିନ ସେହି ଦ୍ରବ୍ୟରୁ ଅଙ୍କୁର ଜାତ ହୁଏ ସେ ଦିନ ବାଲିଯାତ୍ରା ଅନୁଷ୍ଠିତ ହୁଏ । ଏହି ପୂଜା କଲେ ଗାଈ ଗୋରୁ ସହିତ ଲୋକଙ୍କୁ କୌଣସି ରୋଗ ହୁଏ ନାହିଁ ଏବଂ ଚାଷ କାର୍ଯ୍ୟ ଭଲ ହୁଏ ବୋଲି ବିଶ୍ୱାସ ରହିଛି । ପୋଡ଼ାପଦର୍ ପରେ ବୋରିଗୁମ୍ମା ବ୍ଲକର କାମତା ଗାଁ ରେ ୧୨ ବର୍ଷ ପରେ ୨୮ ତାରିଖ ଦିନ ଏହି ବାଲିଯାତ୍ରା ଅନୁଷ୍ଠିତ ହେବ।
ସେହିପରି ଆଗାମୀ ମଇ ୭ ତାରିଖ ଦିନ ବ୍ଲକର କୁମୁଲି ଗାଁରେ ମଧ୍ୟ ୧୨ ବର୍ଷ ପରେ ଏହି କୃଷିଭିତ୍ତିକ ଆଦିବାସୀ ପାରମ୍ପରିକ ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଶେଷରେ ମଇ ୧୦ ତାରିଖ ଦିନ ବିସିଂହପୁର ଗ୍ରାମରେ ଜୟପୁର ରଜା ଅମଳରୁ ଚାଲିଆସୁଥିବା ବାଲିଯାତ୍ରା ଅନୁଷ୍ଠିତ ହେବ । ବାଲିଯାତ୍ରା ପାଇଁ ବୋରିଗୁମ୍ମା ବ୍ଲକ ଉତ୍ସବମୁଖର ହେବା ସହିତ ଚଳଚଞ୍ଚଳ ହୋଇ ଉଠିଛି l
ହିନ୍ଦୁସ୍ଥାନ ସମାଚାର / ପିକେପି