
ଭୁବନେଶ୍ୱର, 28 ଏପ୍ରିଲ (ହି.ସ.) ରାଜ୍ୟରେ ଖୁବ୍ଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି କରାଯିବ । ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ସେ କହିଛନ୍ତି ଯେ, ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପୂର୍ବରୁ ବାକି ଥିବା ସମସ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବ।
ଓକିଲ ନିଯୁକ୍ତି ସମ୍ବନ୍ଧରେ ମଧ୍ୟ ସେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ୨୯ଟି ଜିଲ୍ଲାରେ ଓକିଲ ନିଯୁକ୍ତି ସମ୍ପୂର୍ଣ୍ଣ ହୋଇସାରିଛି। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଖୁବ ଶୀଘ୍ର ଓକିଲ ନିଯୁକ୍ତି କରାଯିବ ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମନମୋହନ ସାମଲ କହିଛନ୍ତି ଯେ, କେନ୍ଦ୍ରୀୟ ନେତାଙ୍କ ସହ ବୈଠକ ପରେ ସମ୍ପ୍ରସାରଣ ହେବ । ଯେତେବେଳେ ସମ୍ପ୍ରସାରଣ ହେବା ଦରକାର, ସେତେବେଳେ ହିଁ ହେବ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଦଳର ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତିମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ କାମ ସରିଛି, ଅବଶିଷ୍ଟ କାମଗୁଡ଼ିକୁ ମଧ୍ୟ ଶୀଘ୍ର ସମ୍ପନ୍ନ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ