
ଝାରସୁଗୁଡ଼ା, ୩ ଅପ୍ରେଲ (ହି.ସ.)- ଜିଲ୍ଲା ପ୍ରଶାସନ ଓ ପୌର ପରିଷଦର ମିଳିତ ଆନୁକୁଲ୍ୟରେ ଆଜି ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡିଏମଏଫ ଅଡିଟୋରିୟମଠାରେ ଆୟୋଜିତ ଏହି ସ୍ୱତନ୍ତ୍ର ସମାରୋହରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) - ୨.୦ ର କାର୍ଯ୍ୟାଦେଶ ଏବଂ ନିଯୁକ୍ତି ମେଳାରେ ଯୋଗ୍ୟ ବିବେଚିତ ହୋଇଥିବା ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିନିଧି ନଭଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ବ୍ରଜ ବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କିଶୋର ଚନ୍ଦ୍ର ସ୍ୱାଇଁ, ପୌର ପାଳିକା ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର ଓ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, “ଯେତେବେଳେ ଜଣେ ଅସହାୟ ପରିବାର ମୁଣ୍ଡ ଉପରେ 'ଛାତ'ଟିଏ ପାଏ ଏବଂ ଜଣେ ଯୁବକ ହାତରେ 'ନିଯୁକ୍ତି'ର ସୁଯୋଗ ପାଏ, ସେତେବେଳେ କେବଳ ଗୋଟିଏ ବ୍ୟକ୍ତି ନୁହେଁ, ବରଂ ସାରା ସମାଜର ବିକାଶ ହୁଏ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍-ସବକା ବିକାଶ’ ଏବଂ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ହିଁ ଆମର ପ୍ରେରଣା। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯେଉଁ ବିକାଶର କାର୍ଯ୍ୟଧାରା ରହିଛି ତାହା ମାଧ୍ୟମରେ ଝାରସୁଗୁଡ଼ାକୁ ଏକ ସମୃଦ୍ଧ ଓ ପ୍ରଗତିଶୀଳ ଅଞ୍ଚଳ ଭାବେ ଗଢିତୋଳିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ।
କାର୍ଯ୍ୟକ୍ରମରେ ସମୁଦାୟ ୮୭ ଜଣ ହିତାଧିକାରୀଙ୍କୁ ପିଏମଏୱାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ସେହିପରି ନିକଟରେ ଅନୁଷ୍ଠିତ ନିଯୁକ୍ତି ମେଳାରେ ଚୟନ ହୋଇଥିବା ୬୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣାକେଶୀ ବଳିୟାରସିଂହ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ