ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଦକ୍ଷେପ; ସହରର ୩୮ଟି ସ୍ଥାନରେ ଖୋଲିବ ଜଳଛତ୍ର ; ପ୍ରଥମ ୫ଟି 'ଜଳଛତ୍ର' ଉଦଘାଟନ କଲେ ବିଧାୟକ
ଝାରସୁଗୁଡ଼ା, ୩ ଅପ୍ରେଲ (ହି.ସ.)- ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ବଢୁଥିବା ବେଳେ ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ସେବାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ପୂର୍ବାହ୍ନରେ ଝାରସୁଗୁଡ଼ା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଦକ୍ଷେପ; ସହରର ୩୮ଟି ସ୍ଥାନରେ ଖୋଲିବ ଜଳଛତ୍ର ; ପ୍ରଥମ ୫ଟି 'ଜଳଛତ୍ର' ଉଦଘାଟନ କଲେ ବିଧାୟକ


ଝାରସୁଗୁଡ଼ା, ୩ ଅପ୍ରେଲ (ହି.ସ.)- ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ବଢୁଥିବା ବେଳେ ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ସେବାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ପୂର୍ବାହ୍ନରେ ଝାରସୁଗୁଡ଼ା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ‘ଜଳଛତ୍ର’ ଉଦଘାଟନ କରିଛନ୍ତି। ଖରା ସମୟରେ ବାହାରକୁ ଆସୁଥିବା ପଥଚାରୀ ଓ ସାଧାରଣ ଜନତାଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।

ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, “ଲୋକଙ୍କ ସୁଖ-ଦୁଃଖରେ ସାମିଲ ହେବା ଏବଂ ସାଧାରଣ ଜନତାଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ହେଉଛି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶାସନର ମୂଳମନ୍ତ୍ର। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଲୋକଙ୍କ ପାଇଁ ପାନୀୟ ଜଳର ସୁବିଧା କରିବା ଏକ ମାନବୀୟ ସେବା। ଆମର ଏହି ପ୍ରୟାସ ଝାରସୁଗୁଡ଼ାବାସୀଙ୍କୁ ଖରା ଦାଉରୁ ରକ୍ଷା କରିବାରେ ସହାୟକ ହେବ।” ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଭିଜନ ଅନୁଯାୟୀ ପ୍ରତିଟି ବ୍ୟକ୍ତିଙ୍କ ପାଖରେ ସେବା ପହଞ୍ଚାଇବାକୁ ପ୍ରଶାସନ ସର୍ବଦା ତତ୍ପର ବୋଲି ସେ ପ୍ରକାଶ କରିଛନ୍ତି।

ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କିଶୋର ଚନ୍ଦ୍ର ସ୍ୱାଇଁ, ପୌର ପାଳିକା ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ପୌର ପାଳିକାର କର୍ମଚାରୀ, ସହରର ବୁଦ୍ଧିଜୀବି, ବିଭିନ୍ନ ୱାର୍ଡର କାଉନସିଲର, ଜଳ ସାଥୀ, ଜନସାଧାରଣ ଏବଂ ଜିଲ୍ଲା ପ୍ରଶାସନର କର୍ମଚାରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଆଜି ପୌରପାଳିକା ଅଞ୍ଚଳରେ ପ୍ରାଥମିକ ଭାବେ ୫ଟି ଜଳଛତ୍ର କାର୍ଯ୍ୟକ୍ଷମ ହୋଇଛି। ଆଗାମୀ ୩ ରୁ ୪ ଦିନ ମଧ୍ୟରେ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଓ ଛକମାନଙ୍କରେ ସମୁଦାୟ ୩୩ଟି ଜଳଛତ୍ର ଖୋଲାଯିବା ନେଇ ପୌର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଝାରସୁଗୁଡ଼ା ପୌର ପାଳିକା ପକ୍ଷରୁ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ବୁଲା ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ପାନୀୟଜଳ କୁଣ୍ଡର ବ୍ୟବସ୍ଥା କରାଯାଇଅଛି। ଏଥିସହ ପୌର ପାଳିକା ପକ୍ଷରୁ ଜନସାଧାରଣଙ୍କୁ ଗ୍ରୀଷ୍ମ ପ୍ରବାହ ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଦିନ ସମୟରେ (ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା) ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନ ବାହାରିବା, ସାଙ୍ଗରେ ପାଣି ବୋତଲ ରଖିବା ଏବଂ ଖରା ଦାଉରୁ ରକ୍ଷା ପାଇବା ପାଇଁ ସରକାରୀ ନିୟମାବଳୀ ପାଳନ କରିବାକୁ ନିବେଦନ କରାଯାଇଛି। ସହରବାସୀ ନିଜ ଘର ସମ୍ମୁଖରେ ମଧ୍ୟ ପଶୁପକ୍ଷୀଙ୍କ ପାଇଁ ପାଣି ପାତ୍ର ରଖିବାକୁ ପୌରପାଳିକା ପକ୍ଷରୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମରେ 'ଜଳ ସାଥୀ' ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସେମାନଙ୍କ ଜରିଆରେ ଜଳଛତ୍ରର ପରିଚାଳନା କରାଯିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande