କୋରାପୁଟ ଜିଲା : ବିନା ବହିରେ ଆରମ୍ଭ ହେଲା ନୂଆ ଶିକ୍ଷାବର୍ଷ
ଜୟପୁର, ୩ ଅପ୍ରେଲ (ହି.ସ.)- କୋରାପୁଟ ଜିଲାରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବା ବେଳେ ନୂଆ ଶ୍ରେଣୀରେ ନୂତନ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ପଢ଼ିବେ । ଏଥିପାଇଁ ସରକାରୀ ଓ ଘରୋଇ ବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ପ୍ରବେଶ ଉତ୍ସବ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆ
କୋରାପୁଟ ଜିଲା ବିନା ବହିରେ ଆରମ୍ଭ ହେଲା ନୂଆ ଶିକ୍ଷାବର୍ଷ


ଜୟପୁର, ୩ ଅପ୍ରେଲ (ହି.ସ.)- କୋରାପୁଟ ଜିଲାରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବା ବେଳେ ନୂଆ ଶ୍ରେଣୀରେ ନୂତନ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ପଢ଼ିବେ । ଏଥିପାଇଁ ସରକାରୀ ଓ ଘରୋଇ ବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ପ୍ରବେଶ ଉତ୍ସବ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ହେଲେ ପିଲାଙ୍କ ନିକଟରେ ପାଠ୍ୟପୁସ୍ତକ ଉପଲବ୍ଧ ହୋଇପାରି ନାହିଁ । ଉଭୟ ରାଜ୍ୟ ସରକାର ଓ ଏନ୍ସିଇଆରଟି ଛାତ୍ରଛାତ୍ରୀଙ୍କୁ ବହି ଯୋଗାଇବାରେ ବିଫଳ ହୋଇଛନ୍ତି । ସରକାରୀ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଣ ଏପର୍ଯ୍ୟନ୍ତ ସମ୍ଭବପର ହୋଇ ପାରିନାହିଁ । ବଜାରରେ ବିକ୍ରି ହେଉଥିବା ବହି ମଧ୍ୟ ମିଳୁନି । ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ଏନ୍ସିଇଆରଟି ଠିକ୍ ସମୟରେ ପାଠ୍ୟପୁସ୍ତକ ବଜାରକୁ ଛାଡି

ପାରିନାହିଁ । କଷ୍ଟେମଷ୍ଟେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ରେ ପାଠ୍ୟପୁସ୍ତକ ଉପଲବ୍ଧ କରାଯାଇଛି । ତେବେ ୯ମ ଶ୍ରେଣୀ ସିଲାବସ୍ ପରିବର୍ତ୍ତନ ହୋଇଥିବାରୁ ତାହା ଏବେ ସମସ୍ୟା ସୃଷ୍ଟି କରିଛି । ନୂତନ ସିଲାବସ୍ ଅନୁଯାୟୀ ଏପର୍ଯ୍ୟନ୍ତ ପାଠ୍ୟପୁସ୍ତକ

ପ୍ରସ୍ତୁତ ସରି ନ ଥିବାରୁ ଛପା ଯାଇପାରି ନାହିଁ । ବଜାରକୁ ଆସିବାକୁ ଆହୁରି କେତେ ସମୟ ଲାଗିବ ତାହା କେହି କହିପାରୁ ନାହାନ୍ତି । ଏହାଦ୍ୱାରା ପିଲାମାନେ ବହୁ ପରିମାଣରେ ହଇରାଣ ହେଉଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ପିଲାଙ୍କୁ କେଉଁଭଳି ପଢ଼ାଇବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । କେବଳ ସିବିଏସ୍ଇ ଛାତ୍ରଛାତ୍ରୀ ନୁହନ୍ତି, ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଖରେ ମଧ୍ୟ ବହି ପହଞ୍ଚି ପାରିନାହିଁ । ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦେବାର ନିୟମ ରହିଛି । ହେଲେ ଆଜି ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ

ଦିଆଯାଇ ନାହିଁ । ଉପାନ୍ତ ତଥା ଆଦିବାସୀବହୁଳ ଜିଲ୍ଲାଗୁଡ଼ିକର କିଛି ବିଦ୍ୟାଳୟକୁ ମାଗଣା ପାଠ୍ୟପୁସ୍ତକ ଯୋଗାଣ ହୋଇଛି । ସରକାରୀ ହିସାବ କହୁଛି, ୩୦ ପ୍ରତିଶତ ବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିଛି । ତେବେ ଏହି ସଂଖ୍ୟା ଆହୁରି କମ୍ ହେବ ବୋଲି ଶିକ୍ଷକ ସଙ୍ଗଠନଗୁଡ଼ିକ କହିଛନ୍ତି । ସମସ୍ତ ଜିଲ୍ଲାରେ ପାଠ୍ୟପୁସ୍ତକ ପହଞ୍ଚି ନ ଥିବାରୁ ପ୍ରବେଶ ତଥା ଖଡ଼ିଛୁଆଁ ଉତ୍ସବକୁ ଘୁଞ୍ଚାଇ ଦିଆଯାଇଥିବା ନେଇ ଚର୍ଚ୍ଚା ଚାଲିଛି । କାରଣ ପ୍ରବେଶ

ଉତ୍ସବରେ ହିଁ ପିଲାମାନଙ୍କୁ ନୂତନ ପାଠ୍ୟପୁସ୍ତକ ସମେତ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯିବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ୯ମ ଓ ୧୦ମ ଶ୍ରେଣୀ ପାଠ୍ୟପୁସ୍ତକରେ ମଧ୍ୟ ସମାନ ସ୍ଥିତି ଲାଗିରହିଛି । ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ପାଠ୍ୟପୁସ୍ତକ ଛପାଯାଇ ନ ଥିବାରୁ ପିଲାଙ୍କ ପାଖରେ ପାଠ୍ୟପୁସ୍ତକ ଉପଲବ୍ଧ ହୋଇ ପାରିନାହିଁ । ସମସ୍ତ ବିଦ୍ୟାଳୟରେ ବହି ପହଞ୍ଚିବାକୁ ଆହୁରି ୧୫ ଦିନ ଲାଗିବ ବୋଲି ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି । ତେଣୁ ଶିକ୍ଷା ବିଭାଗ ତୁରନ୍ତ ପାଠ୍ୟପୁସ୍ତକ ପ୍ରଦାନ କରିବାକୁ ଅବିଭାବକମାନେ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande