
ଝାରସୁଗୁଡ଼ା, ୦୨ ମେ (ହି.ସ.) - ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ପକ୍ଷରୁ ପ୍ରକାଶିତ ୨୦୨୬ ମସିହାର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳରେ ଝାରସୁଗୁଡା ଜିଲ୍ଲା ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି। ଚାଲୁ ବର୍ଷରେ ଜିଲ୍ଲାର ପାସ୍ ହାର ୯୭.୮୯ ଶତଂଶ ରହିଥିବାବେଳେ, ଗତବର୍ଷ ଏହା ୯୭.୮୭ ଶତଂଶ ଥିଲା। ରାଜ୍ୟ ସ୍ତରରେ ମଧ୍ୟ ପାସ୍ ହାର ୯୫.୩୩ ଶତଂଶକୁ ବୃଦ୍ଧି ପାଇଛି, ଯାହା ଗତବର୍ଷ ୯୪.୯୩ ଶତଂଶ ଥିଲା।
ଜିଲ୍ଲାରେ ଏ ବର୍ଷ ଏ ୧ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଗତବର୍ଷର ୩୩ ଠାରୁ ବଢ଼ି ୭୮ କୁ ପହଂଚିଛି। ସେପରି ଏ ୨ ଗ୍ରେଡ୍ ରେ ଗତବର୍ଷ ୩୦୦ ଜଣ ଥିବାବେଳେ, ଏ ବର୍ଷ ୩୮୩ ଜଣ ଉତୀର୍ଣ୍ଣ ହୋଇଛନ୍ତି। ଜିଲ୍ଲାର ୧୨୦ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୬୫ଟି ବିଦ୍ୟାଳୟର ଫଳାଫଳ ଶତ ପ୍ରତିଶତ ରହିଛି।
ଏ ବର୍ଷ ମୋଟ ୬୧୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ନମାଙ୍କନ କରିଥିବାବେଳେ, ୬୦୨୧ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୮ ଜଣ ଏ ୧, ୩୮୩ ଜଣ ଏ ୨, ୮୭୩ ଜଣ ବି ୧, ୧୩୫୫ ଜଣ ବି ୨, ୧୩୯୪ ଜଣ ସି, ୧୨୦୯ ଜଣ ଡି, ୬୦୨ ଜଣ ଇ ଏବଂ ୧୨୭ ଜଣ ଏଫ୍ ଗ୍ରେଡ୍ ପାଇଥିବା ଜଣାପଡ଼ିଛି
ଜିଲ୍ଲା ଶିକ୍ଷାଧିକାରୀ ଡ଼ ରାଧାକାନ୍ତ ଗଡ଼ତିଆଙ୍କ ଅନୁସାରେ, ଏହି ସଫଳତାରେ “ଉନ୍ମେଷ କାର୍ଯ୍ୟକ୍ରମ” ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ଏହି କାର୍ଯ୍ୟକ୍ରମ ଚାରି ପର୍ଯ୍ୟୟରେ ଆୟୋଜିତ ହୋଇ, ଚୟନୀତ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ବିଶେଷ ସହାୟକ ଶିକ୍ଷଣ ଦିଆଯାଇଥିଲା।
ଏହା ସହିତ, ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପୂର୍ବତନ ୧୦ ବର୍ଷର ପ୍ରଶ୍ନପତ୍ର ଅଭ୍ୟାସ, ରେମେଡିଆଲ୍ କ୍ଲାସ୍ ଓ ଫୋନ୍ ମାଧ୍ୟମରେ ଶିକ୍ଷା ସହାୟତା ଯୋଗାଇ ଦିଆଯାଇଥିଲା।
ଏହି ପ୍ରୟାସଗୁଡ଼ିକ ଫଳରେ ଜିଲ୍ଲାର ଫଳାଫଳ କ୍ରମାଗତ ଭାବେ ଉନ୍ନତି ହୋଇଥିବା କହି ଡ଼ ଗଡ଼ତିଆ ସମସ୍ତ ସଫଳ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ