
ଝାରସୁଗୁଡ଼ା, ୨୬ ମଇ (ହି.ସ.)- ଜିଲ୍ଲାପାଳ କୁଣାଳ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଜଳ ଓ ପରିମଳ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କ ପାଖରେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ଏବଂ ଗ୍ରୀଷ୍ମ ଋତୁରେ ଜଳକଷ୍ଟର ନିରାକରଣ ପାଇଁ ବୈଠକରେ ବ୍ୟାପକ ସମୀକ୍ଷା କରାଯାଇଛି। ଏହି ବୈଠକରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଜାତୀୟ ରାଜପଥ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସଂଶ୍ଳିଷ୍ଟ କାର୍ଯ୍ୟକାରୀ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଜିଲ୍ଲାରେ ଥିବା ସମସ୍ତ ନଳକୂପ, ସୌର ଚାଳିତ ପମ୍ପ ଏବଂ ପାଇପ୍ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ସାମ୍ପ୍ରତିକ ସ୍ଥିତି ଉପରେ ଜିଲ୍ଲାପାଳ ବିସ୍ତୃତ ସମୀକ୍ଷା କରିଥିଲେ। ପାନୀୟ ଜଳର ସମସ୍ତ ଉତ୍ସ ଯେପରି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ରହିବ, ସେଥିପାଇଁ ବିହିତ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଟ୍ୟାପ୍ ଯୋଗେ ଜଳ ଯୋଗାଣର ପ୍ରଗତି, 'ବସୁଧା' ହେଲ୍ପଲାଇନ ମାଧ୍ୟମରେ ଆସୁଥିବା ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଏବଂ ଜଳାଭାବ ଦେଖାଦେଇଥିବା ସଂକଟାପନ୍ନ ଅଞ୍ଚଳଗୁଡ଼ିକରେ ଟ୍ୟାଙ୍କର ନିୟୋଜିତ କରି ଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ଚାଲୁ ରହିଥିବା ମେଗା ପିଡବ୍ଲୁଏସ୍ (୧୬/୧୭ ଏବଂ ୪୨ଟି ଗ୍ରାମ ପଞ୍ଚାୟତ) ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସେ ତଦାରଖ କରିଥିଲେ।ବୈଠକରେ ଅନ୍ୟ ଏକ ପ୍ରମୁଖ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା, ଯେଉଁଥିରେ ପିଡବ୍ଲୁଏସ, ଆର୍ ଡି ଏବଂ ଏନ୍ ଏଚ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ କିମ୍ବା ସମ୍ପ୍ରସାରଣ କାର୍ଯ୍ୟ ସମୟରେ ଅନେକ ସ୍ଥାନରେ ପାନୀୟ ଜଳର ପାଇପଲାଇନଗୁଡ଼ିକ କ୍ଷତିଗ୍ରସ୍ତ ହେଉଥିବା ଦର୍ଶାଯାଇଥିଲା। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳ ଆନ୍ତଃ-ବିଭାଗୀୟ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସମସ୍ତ ଲାଇନ ବିଭାଗକୁ ପରାମର୍ଶ ଦେଇଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ପାଇପଲାଇନ ଗୁଡ଼ିକର ତୁରନ୍ତ ପୁନରୁଦ୍ଧାର କରିବା ସହ ଜଳ ଯୋଗାଣ ଯେପରି ବାଧାପ୍ରାପ୍ତ ନହୁଏ ଏବଂ ସମସ୍ତ ନିର୍ମାଣ କାର୍ଯ୍ୟ ଯେପରି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ, ସେଥିପାଇଁ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ