
ଜୟପୁର, ୨୬ ମଇ (ହି.ସ.)- ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ପ୍ରମୁଖ ବିନ୍ଧାଣି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୫୨ତମ ଶ୍ରାଦ୍ଧ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଦେବା ପରେପରେ ନିରବ ପାର୍ଥନା କରାଯାଇଥିଲା। ତା'ପରେ ବଂଶୀବାଦକ ରବୀନ ମହାନନ୍ଦିଆଙ୍କ କଳାକାରୀରେ ବନ୍ଦେ ଉତ୍କଳ ଜନନୀ ବଂଶୀର ସ୍ୱରରେ ବିମୋହିତ ହୋଇ ଉଠିଥିଲେ ସମସ୍ତ ଶ୍ରୋତା। ସଭାପତି ବିଷ୍ଣୁ ପ୍ରସାଦ ପାତ୍ର ଓଡ଼ିଆ ସମାଜ, ଜୟପୁର ତଥା କୃଷ୍ଣଚନ୍ଦ୍ର ଦେବ ପାଠାଗାର ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ରାମାନନ୍ଦ ମିଶ୍ର ଏବଂ ପାଠାଗାରର ସମସ୍ତ ସଦସ୍ୟ କାର୍ଯ୍ୟରେ ସହଯୋଗ କରିଥିଲେ। ବରିଷ୍ଠ ବକ୍ତା ତଥା ଅବସର ପ୍ରାପ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ ପୂର୍ଣଚନ୍ଦ୍ର ମହାପାତ୍ର ତାଙ୍କ ଅଭିଭାଷଣରେ କହିଥିଲେ, ଉତ୍କଳର ଇତିହାସରେ କେତେକ ନାମ କେବଳ ବ୍ୟକ୍ତି ନୁହଁନ୍ତି — ସେମାନେ ଏକ ଯୁଗର ଚେତନା, ଏକ ଜାତିର ଆତ୍ମା । ସେହିପରି ଏକ ଅମର ନାମ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ । ୧୮୯୨ ମସିହାରେ ପାରଳାଖେମୁଣ୍ଡିର ପବିତ୍ର ରାଜପ୍ରାସାଦରେ ଜନ୍ମ ନେଇଥିବା ଏହି ମହାନ ବ୍ୟକ୍ତିତ୍ୱ କେବଳ ଜଣେ ରାଜା ହୋଇ ରହିଲେ ନାହିଁ, ସେ ହୋଇଉଠିଲେ ଓଡ଼ିଆ ଜାତିର ସ୍ୱାଭିମାନର ସଂଗ୍ରାମୀ ସୈନିକ । ରାଜମୁକୁଟ ମୁଣ୍ଡରେ ଥିଲା ସତ ହେଲେ ହୃଦୟରେ ଥିଲା ମାଟିର ଲୋକଙ୍କ ପାଇଁ ପ୍ରେମ । ଭୋଗବିଳାସର ରାଜସିଂହାସନ ଛାଡ଼ି ସେ ବାଛିଥିଲେ ସେବା, ସଂଗ୍ରାମ ଓ ଜାତିଗଠନର ପଥ ।
ଖାରବେଳଙ୍କ ଗୌରବମୟ ଉତ୍କଳ ଏକ ସମୟରେ ଭାଗ ଭାଗ ହୋଇ ପଡ଼ିଥିଲା ପର ଶାସନର କବଳରେ । ଓଡ଼ିଆ ଜାତି ନିଜ ମାଟିରେ ହିଁ ପରାଧୀନତାର ନିରବ ବେଦନା ଭୋଗୁଥିଲା । ପୂର୍ବ ଦିଗରେ ବଙ୍ଗାଳୀ ପ୍ରଶାସନର ପ୍ରଭାବ, ଦକ୍ଷିଣରେ ତେଲୁଗୁ ଭାଷାର ଚାପ, ପଶ୍ଚିମ ଓ ଉତ୍ତରରେ ହିନ୍ଦୀଭାଷୀ ଶାସନର ଆଧିପତ୍ୟ — ଏହି ଚାରିଦିଗର ଘେରାଉ ମଧ୍ୟରେ ଓଡ଼ିଆ ଭାଷା ଧୀରେ ଧୀରେ ନିଜ ଘରେ ହିଁ ଅନାଥ ହେବାକୁ ଲାଗିଥିଲା । ପାଠଶାଳାରୁ ଓଡ଼ିଆକୁ ହଟାଇବାର ଷଡ଼ଯନ୍ତ୍ର, ପ୍ରଶାସନରେ ଓଡ଼ିଆଙ୍କୁ ଅବହେଳା, ସାହିତ୍ୟ ଓ ସଂସ୍କୃତିକୁ ଅବମାନନା — ସବୁମିଶି ଓଡ଼ିଆ ଅସ୍ମିତାକୁ ନିରବରେ ଶ୍ୱାସରୋଧ କରୁଥିଲା। ସେହି ଭୟାବହ ସମୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମଧୁସୂଦନ ଦାସ, ବିକ୍ରମଦେବ ବର୍ମାଙ୍କ ପରି ମହାପୁରୁଷମାନେ ଅନୁଭବ କରିଥିଲେ। “ଯଦି ଭାଷା ବଞ୍ଚିବ ନାହିଁ, ତେବେ ଜାତି ମଧ୍ୟ ବଞ୍ଚିବ ନାହିଁ ।” ତାଙ୍କର ଦୂରଦୃଷ୍ଟି, ତ୍ୟାଗ ଓ ସଂଗ୍ରାମ ଫଳରେ ଆଜି ଓଡ଼ିଆ ଭାଷା ଗର୍ବର ସହ ବିଶ୍ୱ ମାନଚିତ୍ରରେ ନିଜ ପରିଚୟ ନେଇ ବଞ୍ଚିଆସିଛି । ସେହି ସମୟରେ ଓଡ଼ିଆ ଜାତି ଖଣ୍ଡବିଖଣ୍ଡିତ ହୋଇ ବଙ୍ଗ, ମଦ୍ରାସ, ବିହାର ଓ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ମିଶିଯାଇଥିଲା । ଭାଷା, ସାହିତ୍ୟ ଓ ସଂସ୍କୃତି ଅସ୍ତିତ୍ୱ ସଙ୍କଟରେ ପଡ଼ିଥିଲା । ଓଡ଼ିଆ ଭାଷାକୁ ଅପମାନିତ କରାଯାଉଥିଲା, ଓଡ଼ିଆ ଲୋକ ନିଜ ମାଟିରେ ମଧ୍ୟ ପରାଧୀନ ଭାବେ ବଞ୍ଚିବାକୁ ବାଧ୍ୟ ହେଉଥିଲେ l
ସେ ଲଣ୍ଡନ ପର୍ଯ୍ୟନ୍ତ ଯାଇ ବ୍ରିଟିଶ ଶାସକମାନଙ୍କୁ ବୁଝାଇଥିଲେ ଯେ, ଭାଷାଭିତ୍ତିକ ପ୍ରଦେଶ ହେଉଛି ଏକ ଜାତିର ଅଧିକାର । ତାଙ୍କ ଅଦମ୍ୟ ପ୍ରୟାସ, ଦୂରଦୃଷ୍ଟି ଓ ରାଜନୀତି ପ୍ରଭାବ ଫଳରେ ୧ ଏପ୍ରିଲ ୧୯୩୬ ମସିହାରେ ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଆତ୍ମପ୍ରକାଶ କଲା । ଏହା କେବଳ ଏକ ପ୍ରଶାସନିକ ପରିବର୍ତ୍ତନ ନୁହେଁ — ଏହା ଥିଲା ଓଡ଼ିଆ ଜାତିର ପୁନର୍ଜନ୍ମ ।
ଦକ୍ଷିଣ ଓଡ଼ିଶାର ଆଉ ଏକ ମହାନ ଦେଶପ୍ରେମୀ ଜୟପୁରର ମହାରାଜା ବିକ୍ରମ ଦେବ ବର୍ମାଙ୍କ ସହ ତାଙ୍କର ଐତିହାସିକ ମାମୁଁ-ଭଣଜା ଯୋଡ଼ି
( ସମ୍ପର୍କରେ ଦୁହେଁ ମାମୁଁ -ଭଣଜା ) ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଅମର ଅବଦାନ ରଖିଥିଲେ l ଦୁହେଁ କେବଳ ରାଜନୈତିକ ଦୂରଦୃଷ୍ଟି ସମ୍ପନ୍ନ ରାଜା ନ ଥିଲେ, ଥିଲେ ମାତୃଭୂମି ମାତୃଭାଷାକୁ ଭଲ ପାଉଥିବା ପ୍ରଜାବତ୍ସଳ ଜନ ନାୟକ ଶିକ୍ଷା ଓ ସଂସ୍କୃତିର ରକ୍ଷକ l
ସେମାନଙ୍କ ତ୍ୟାଗ ଓ ପ୍ରେମରେ ଓଡ଼ିଆ ଜାତି ପାଇଥିଲା ନୂଆ ଆତ୍ମବିଶ୍ୱାସ । ୧୯୩୭ ମସିହାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ହେଲେ ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ । ପାରଳାଖେମୁଣ୍ଡି ଓ ଜୟପୁର ରାଜବଂଶ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଯେଉଁ ଜୀବନ୍ୟାସ ଦେଇଥିଲେ, ତାହା ଚିରସ୍ମରଣୀୟ । ଗୁଣୁପୁର–ନୌପଡ଼ା ରେଳପଥ ସ୍ଥାପନା ପରି ବିକାଶମୂଳକ କାର୍ଯ୍ୟ ସେ ସମୟରେ ଏକ ଅପୂର୍ବ ସଫଳତା ଥିଲା। “ନିଜ ମାଟିକୁ ଭଲପାଆ, ନିଜ ଭାଷାକୁ ସମ୍ମାନ କର, ଜାତିର ଗୌରବକୁ ରକ୍ଷା କର ।”
ଆଜି ତାଙ୍କ ୫୨ତମ ଶ୍ରାଦ୍ଧ ଦିବସରେ ସମଗ୍ର ଓଡ଼ିଶା ଭକ୍ତିଭରା ନୟନରେ ସେହି ମହାନ ଜନନାୟକଙ୍କୁ ସ୍ମରଣ କରୁଛି । ତାଙ୍କ ତ୍ୟାଗ, ଦୃଷ୍ଟିଭଙ୍ଗୀ ଓ ଜନସେବା ଉତ୍କଳର ଚେତନାରେ ସଦା ଜୀବନ୍ତ ରହିବ । ପରେ ପରେ ବକ୍ତା ତଥା ଅବସର ପ୍ରାପ୍ତ ପ୍ରୋଫେସର ଡ.ବଳଭଦ୍ର ଦାଶ ମହୋଦୟ ପାରଳାଖେମୁଣ୍ଡି ଏବଂ ଜୟପୁରର ସମ୍ପର୍କ ବିଷୟରେ ବର୍ଣ୍ଣନା କରିଥିଲେ। ଓଡ଼ିଆ ସମାଜର ଏଭଳି ପ୍ରୟାସକୁ ବକ୍ତା, ଶ୍ରୋତା, ଦେଖଣାହାରି ଭୁରି ଭୁରି ପ୍ରଶଂସା କରୁଥିଲେ। ୧ଘ. ୨୦ ମିନିଟ କାଳ କରସୁଧା ଭିଡିଓ ହଲରେ କେବଳ ବକ୍ତାଙ୍କ ସ୍ୱର ବ୍ୟତୀତ ଆଉ କିଛି ଶୁଭା ଯାଉନଥିଲା।
ମଞ୍ଚରେ ଅତିଥି ସ୍ୱାଗତ କୃଷ୍ଣ ଚନ୍ଦ୍ର ହୋତା, ଅତିଥି ପରିଚୟ ଅଶୋକ ମହାରଣା ପ୍ରଦାନ କରିଥିଲେ। ଅତିଥିଙ୍କୁ ଉପଢୌକନ ଏବଂ ଶ୍ରଦ୍ଧାସୁମନ ପ୍ରଦାନ ପରେ, ନିରଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି