
ଝାରସୁଗୁଡ଼ା, ୨୬ ମଇ (ହି.ସ.)- ମୁଖ୍ୟମନ୍ତ୍ରୀଙ୍କ ସୂଚାରୁ ମାର୍ଗଦର୍ଶନରେ ଝାରସୁଗୁଡ଼ା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟଧାରା ଅଧିକ ତ୍ଵରାନିତ ହୋଇଛି। ଏହି କ୍ରମରେ ଝାରସୁଗୁଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ପାଇଁ ଆଜି ଏକ ଭବ୍ୟ କାର୍ଯ୍ୟକ୍ରମରେ ୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ଲୋଇସିଂହ ଭୋଇମୁଣ୍ଡା ଠାରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ କରକମଳରେ ପଞ୍ଚାୟତ ସମିତିର ୨.୩୪ କୋଟି ଟଙ୍କା ବିନିମୟରେ ୩୪ ଗୋଟି ପ୍ରକଳ୍ପର ଲୋକାର୍ପଣ ଏବଂ ୨.୫୬ କୋଟି ଟଙ୍କା ବିନିମୟରେ ୨୨ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଆମ ସରକାର ସବୁବେଳେ ଜନକଲ୍ୟାଣମୂଳକ କାର୍ଯ୍ୟ କରିବାକୁ ପ୍ରତିବଦ୍ଧ। ସେ ଆହୁରି ସୂଚନା ଦେଇଛନ୍ତି ଯେ, ଜିଲ୍ଲାରେ ଡି ଏମ୍ ଏଫ୍ ପାଣ୍ଠିରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଆସନ୍ତା ଜାନୁଆରୀ ମାସ ସୁଦ୍ଧା ଅଞ୍ଚଳରେ ଖେଳପଡ଼ିଆର ବିକାଶ କରାଯିବ ଏବଂ ରାସ୍ତା ଗମନାଗମନ କ୍ଷେତ୍ରରେ ବ୍ୟାପକ ସୁଧାର ଅଣାଯିବ, ଯାହାଦ୍ୱାରା ଲୋକମାନେ ଉନ୍ନତ ଯାତାୟାତର ସୁବିଧା ପାଇପାରିବେ।
ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଥିବା ସମସ୍ତ ହାଇସ୍କୁଲଗୁଡ଼ିକୁ ଆଗାମୀ ଦିନରେ +୨ କଲେଜରେ ରୂପାନ୍ତରିତ କରାଯିବ। ପ୍ରଥମ ପର୍ଯ୍ୟାୟରେ ରାଜପୁର ହାଇସ୍କୁଲ ସମେତ ମୋଟ ୩୮ଟି ପଞ୍ଚାୟତ ହାଇସ୍କୁଲର +୨ ସ୍ତରୀୟ ରୂପାନ୍ତରଣ କାର୍ଯ୍ୟ କରାଯାଉଛି। ସେହିପରି ଗ୍ରାମୀଣ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପଞ୍ଚାୟତର ସରପଞ୍ଚମାନେ ଯେଉଁ ବିକାଶମୂଳକ ଲିଖିତ ପ୍ରସ୍ତାବ ଦେବେ, ତାହାକୁ ଚଳିତ ବର୍ଷ ହିଁ ତୁରନ୍ତ ଲାଗୁ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। 'ସବକା ସାଥ ସବକା ବିକାଶ' ମାଧ୍ୟମରେ ସମଗ୍ର ଓଡ଼ିଶାର ନିଜସ୍ୱ ବିକାଶ କରିବା ଆମର ମୁଖ୍ୟ ଲକ୍ଷ୍ୟ।
ସାମାଜିକ ସୁରକ୍ଷା ଏବଂ ଗରିବ କଲ୍ୟାଣ କ୍ଷେତ୍ରରେ ଏକ ଐତିହାସିକ ଘୋଷଣା କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଜିଲ୍ଲାର ସମସ୍ତ ଭୂମିହୀନ ଗରିବ ପରିବାରଙ୍କୁ ନିଜସ୍ୱ ଘର ତିଆରି କରିବା ପାଇଁ ସରକାରଙ୍କ ପକ୍ଷରୁ ୪ ଡେସିମିଲ୍ ଲେଖାଏଁ ଜାଗା ପ୍ରଦାନ କରାଯିବ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗରିବ କଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଯିବ, ଯାହାଦ୍ୱାରା ଆଗାମୀ ଦିନରେ ବ୍ରଜରାଜନଗର ସମଗ୍ର ଓଡ଼ିଶାରେ ଏକ ସର୍ବୋତ୍ତମ ଏବଂ ଆଦର୍ଶ ଅଞ୍ଚଳ ଭାବେ ଉଭା ହେବ।
ଏହି ସମଗ୍ର କାର୍ଯ୍ୟକ୍ରମକୁ ଝାରସୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ୍ କୁମାର ଆଚାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ଅବସରରେ ଗରିମାମୟ ଅତିଥି ଭାବେ ଜିଲ୍ଲାପାଳ କୁଣାଳ ମୋତିରାମ ଚହ୍ବାଣ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଝାରସୁଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଚିତ୍ରେଣୀ ପଟେଲ, ଜିଲ୍ଲା ପରିଷଦ ଜୋନ୍ ସଦସ୍ୟା ଝରଣା ସାଗରଙ୍କ ସମେତ ବ୍ଲକ୍ ଅଧୀନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ଅନ୍ୟାନ୍ୟ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ