
ଭୁବନ, ୩୧ ମଇ(ହି.ସ.) – ୬୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ଅସହାୟ ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କୁ ମାସିକ ୧ ହଜାର ବଦଳରେ ୩ ହଜାର ଟଙ୍କା ଭତା ମିଳିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇ ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କଲା। ଆସନ୍ତା ଜୁନ୍ ୧୨ ତାରିଖରେ ଦୁଇ ବର୍ଷ ପୂର୍ତି ପାଳନ କରିବାକୁ ଜୋରଦାର ପ୍ରସ୍ତୁତି ଚଳାଇ ଥିବାବେଳେ ସାରା ରାଜ୍ୟରେ ବୃଦ୍ଧ, ବୃଦ୍ଧାଙ୍କୁ ଦୁଇ ମାସର ଭତା ପ୍ରଦାନ କରି ନପାରି ସମାଲୋଚନାର ଶରବ୍ୟ ହୋଇଛି। ଲୋକଙ୍କ ସରକାର ନୁହେଁ ଇଏ ବାସ୍ତବରେ ଠକ ଙ୍କ ସରକାର’ ବୋଲି ଲୋକମାନେ କହୁଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେ ୯ ହଜାର ୧୨୯ ଜଣ ବୃଦ୍ଧ, ବୃଦ୍ଧା ମଧୁବାବୁ ପେନସନ ଯୋଜନାରେ ଭତା ପାଉଥିବାବେଳେ ୫୫୮୭ ଜଣ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ଜାତୀୟ ପେନସନ ଯୋଜନାରେ ସମୁଦାୟ ୧୪ ହଜାର ୭୧୬ ଜଣ ଭତା ପାଉଛନ୍ତି। ଏଇ ଭତା ଗଣ୍ଡାକ ଅସହାୟ ବୃଦ୍ଧ, ବୃଦ୍ଧାମାନେ ସକାଳ ଜଳଖିଆ ଓ ଔଷଧ ବାବଦରେ ଖର୍ଚ୍ଚ କରିଥାନ୍ତି। ଦୀର୍ଘ ଦୁଇ ମାସ ହେଲା ଭତା ନପାଇ ବୃଦ୍ଧ, ବୃଦ୍ଧାମାନେ ଅତ୍ୟନ୍ତ ଦୁର୍ବିସହ ଜୀବନ ବିତାଉଛନ୍ତି। ରାତି ପାହିଲେ ଶହ ଶହ ବୃଦ୍ଧ, ବୃଦ୍ଧା ପଂଚାୟତ ଅଫିସ ଓ ବ୍ଲକ ଅଫିସ ରେ ଭିଡ ଜମାଇ ବାବୁ ଏଇ ମାସରେ ଭତା ମିଳିବ ତ ବୋଲି ପ୍ରଶ୍ନ ପଚାରୁଛନ୍ତି। ସଫ୍ଟଓୟାର ପ୍ରୋବ୍ଲେମ ଅଛି,କେନ୍ଦ୍ରରୁ ପଇସା ଆସିନାହିଁ। ପଇସା ଆସିଲେ ଏଇ ଜୁନ୍ ମାସରେ ଆପଣମାନେ ଏକ କାଳୀନ ତିନି ମାସର ଭତା ପାଇବେ ବୋଲି ଆଶ୍ୱାସନା ଶୁଣି ମନସ୍ତାପରେ ଫେରୁଥିବା ଦେଖିବାକୁ ମିଳୁଛି।
.......................................
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ