
ବଲାଙ୍ଗିର, 17 ଜୁନ୍ (ହି.ସ.) -ଖୋର୍ଦ୍ଧାସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ନବମ ଓଡ଼ିଶା ପେନକାକ୍ ସିଲାଟ ଚମ୍ପିଆନସିପ୍ ୨୦୨୬–୨୭ ସଫଳତାର ସହ ସମାପ୍ତ ହୋଇଯାଇଛି।ତିନି ଦିନ ବ୍ୟାପୀ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ୧୮ଟି ଜିଲ୍ଲାରୁ ପ୍ରାୟ ୫୦୦ ଜଣ ବାଳକ ଓ ବାଳିକା ଅଂଶଗ୍ରହଣ କରି ନିଜ କ୍ରୀଡ଼ା ନୈପୁଣ୍ୟର ପ୍ରଦର୍ଶନ କରିଥିଲେ।
ଏହି ପ୍ରତିଯୋଗିତାରେ ବଲାଙ୍ଗିର ପେନକାକ୍ ସିଲାଟ ଆସୋସିଏସନ୍ର ୧୦ ଜଣ ଛାତ୍ରଛାତ୍ରୀ ସମ୍ପାଦକ ତଥା ପ୍ରଶିକ୍ଷକ ପ୍ରଶାନ୍ତ ପାତ୍ରଙ୍କ ନେତୃତ୍ୱରେ ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଦଳର ଖେଳାଳିମାନେ ମୋଟ ୧୪ଟି ପଦକ ଜିତି ବଲାଙ୍ଗିର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ପ୍ରତିଯୋଗିତାରେ ଖୁସିରାମ ସେଠ୍ ତୁଙ୍ଗଲ ଓ ଟେଣ୍ଡିଙ୍ଗ ବିଭାଗରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଦଳର ସର୍ବୋତ୍କୃଷ୍ଟ ପ୍ରଦର୍ଶନକାରୀ ଭାବେ ଉଭା ହୋଇଥିଲେ।ରାଜଲକ୍ଷ୍ମୀ ଦାସ ଟେଣ୍ଡିଙ୍ଗ ରେ ସ୍ୱର୍ଣ୍ଣ ଏବଂ ତୁଙ୍ଗଲରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ,ସୁଶ୍ରୀ ଦେବାଂଶୀ ଟେଣ୍ଡିଙ୍ଗ ରେ ସ୍ୱର୍ଣ୍ଣ ଓ ତୁଙ୍ଗଲ ରେ ରୌପ୍ୟ ପଦକ ହାସଲ କରିଥିଲେ।
ସେହିପରି ସୋମ ନାରାୟଣ ଦୀପ ଟେଣ୍ଡିଙ୍ଗ ଓ ତୁଙ୍ଗଲ ଉଭୟ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।ଅଭିନାଶ ମଲ୍ଲିକ ଏବଂ ସିଜଲ ପାଣିଗ୍ରାହୀ ତେଣ୍ଡିଙ୍ଗ ରେ ବ୍ରୋଞ୍ଜ ପଦକ ଜିତିଥିବା ବେଳେ,ସଙ୍କେତ ସାହୁ,ଆଦ୍ୱିତା ପାଣିଗ୍ରାହୀ,କ୍ରିତିକା ଅଗ୍ରୱାଲ ଓ ଇଶାନୀ ଜୈନ ତେଣ୍ଡିଙ୍ଗ ବିଭାଗରେ ରୌପ୍ୟ ପଦକ ହାସଲ କରିଥିଲେ।ବଲାଙ୍ଗିର ଦଳର ଏହି ଉଲ୍ଲେଖନୀୟ ସଫଳତାକୁ ନେଇ ଅଭିଭାବକ ଓ କ୍ରୀଡ଼ାପ୍ରେମୀ ମହଳରେ ଖୁସିର ଲହରୀ ଖେଳିଯାଇଛି।ମୋଟ ୧୪ଟି ପଦକ ହାସଲ କରି ବଲାଙ୍ଗିର ଜିଲ୍ଲା ରାଜ୍ୟସ୍ତରରେ ନିଜର କ୍ରୀଡ଼ା ଦକ୍ଷତାକୁ ପୁନର୍ବାର ପ୍ରମାଣିତ କରିଛି।
ଏହି ଅବସରରେ ବଲାଙ୍ଗିର ପେନକାକ୍ ସିଲାଟ ଆସୋସିଏସନ୍ର ସଭାପତି ମହେନ୍ଦ୍ର କୁମାର ଦର୍ଜୀ ସମସ୍ତ କୃତୀ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ସଫଳତା ପଛରେ ଥିବା ପ୍ରଶିକ୍ଷକ ପ୍ରଶାନ୍ତ ପାତ୍ରଙ୍କ ନିଷ୍ଠା,ପରିଶ୍ରମ ଓ ଉତ୍ସର୍ଗକୁ ଉଚ୍ଚ ପ୍ରଶଂସା କରିଛନ୍ତି।ସେ କହିଛନ୍ତି ଯେ,ଏଭଳି ସଫଳତା ଭବିଷ୍ୟତରେ ଜିଲ୍ଲାର ଅଧିକ ଯୁବପିଢ଼ିଙ୍କୁ ପେନକାକ୍ ସିଲାଟ ଭଳି ମାର୍ଶଲ ଆର୍ଟ ପ୍ରତି ଆକର୍ଷିତ କରିବ
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ