
ଚମ୍ପୁଆ, ୨୫ ଜୁନ୍ (ହି.ସ.)- ମୋହନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟରେ 'ବିକାଶର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ଚମ୍ପୁଆ ବ୍ଲକରେ ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଓଲଟା ଚିତ୍ର ପ୍ରଦର୍ଶନ କରୁଛି । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ନିୟମ ଅନୁଯାୟୀ, ପ୍ରତ୍ୟେକ ପଞ୍ଚାୟତରେ ହେଉଥିବା ସମ୍ମିଳନୀରେ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ (ବିଭିନ୍ନ ବିଭାଗ)ର ଅଧିକାରୀ ରହିବା କଥା ଏବଂ ହିତାଧିକାରୀଙ୍କୁ ଖୋଲାଖୋଲି ମତ ରଖିବାର ସୁଯୋଗ ମିଳିବା କଥା । କିନ୍ତୁ ଚମ୍ପୁଆରେ ଏ ସବୁକୁ ଅଣଦେଖା କରାଯାଇଛି । ଗତ ୨୦ ଜୁନରେ ଚମ୍ପୁଆ ପଞ୍ଚାୟତ ସମିତି ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୌଣସି ଗ୍ରାମପଞ୍ଚାୟତର ସାଧାରଣ ଲୋକଙ୍କୁ ସୂଚନା ଦିଆଯାଇ ନଥିଲା । ଏବେ ମଧ୍ୟ ବିଭିନ୍ନ ପଞ୍ଚାୟତରେ ଚାଲିଥିବା ସମ୍ମିଳନୀ ସମ୍ପର୍କରେ ଲୋକେ ଅବଗତ ନୁହନ୍ତି ।
ଲୋକଙ୍କ କହିବା ଅନୁଯାୟୀ, ବିଡିଓଙ୍କ ଏଭଳି ରହସ୍ୟଜନକ ଆଚରଣ ପଛରେ କୌଣସି ଷଡ଼ଯନ୍ତ୍ର ଥାଇପାରେ । ଲୋକଙ୍କ ସରକାରଙ୍କ ଯୋଜନାକୁ ଲୋକଲୋଚନକୁ ନଆଣି ସରକାରଙ୍କୁ ବଦନାମ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ଲକ ପ୍ରଶାସନ କାହିଁକି ଏଭଳି ଅନାଗ୍ରହ ଦେଖାଉଛି ଏହାର ତଦନ୍ତ କରି ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta