




ବଲାଙ୍ଗିର, ୨୫ ଜୁନ୍ (ହି.ସ.)- ଆଜି ଜିଲ୍ଲାସ୍ତରୀୟ ବିକାଶର ଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ବଲାଙ୍ଗୀର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ‘ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ’ ଅଧୀନରେ ଏକ ଜିଲ୍ଲାସ୍ତରୀୟ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ, ଶିକ୍ଷା, ପୋଷଣ, କୃଷି, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ଦକ୍ଷତା ବିକାଶ ଭଳି ପ୍ରମୁଖ କ୍ଷେତ୍ରରେ ଜିଲ୍ଲା ହାସଲ କରିଥିବା ଉଲ୍ଲେଖନୀୟ ପ୍ରଗତି ସମ୍ପର୍କରେ ଆଲୋକପାତ କରିବା ସହ ଜିଲ୍ଲାର ସାମଗ୍ରିକ ଓ ସ୍ଥାୟୀ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଜିଲ୍ଲାପାଳ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଉନ୍ନୟନ ବୋର୍ଡ ର ଅଧ୍ୟକ୍ଷ ବଲ୍ଲଭ ଧରୁଆ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପବିତ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ଯୋଜନା ଓ ପରିସଂଖ୍ଯନ ଉପ-ନିର୍ଦ୍ଦେଶକ ଅଙ୍କିତ ମହାକୁରଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ଯୋଜନା ଏବଂ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ହାସଲ ହୋଇଥିବା ସଫଳତା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା। କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ଶିକ୍ଷା, କୃଷି ଓ ଆନୁଷଙ୍ଗିକ ସେବା, ମୌଳିକ ଭିତ୍ତିଭୂମି ଏବଂ ସାମାଜିକ ବିକାଶ ଭଳି କ୍ଷେତ୍ରଗୁଡ଼ିକରେ ବ୍ଲକସ୍ତରୀୟ ପ୍ରଗତିର ସମୀକ୍ଷା କରାଯାଇଥିଲା। ଆକାଂକ୍ଷୀ ବ୍ଲକଗୁଡ଼ିକରେ କିପରି ସରକାରୀ ଯୋଜନାକୁ ଅଧିକ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରାଯାଇପାରିବ ଏବଂ ସାଧାରଣ ଜନତାଙ୍କ ପାଖରେ ସେବା ପହଞ୍ଚାଇ ହେବ ସେ ନେଇ ଆଲୋଚନା କରାଯାଇଥିଲା । ଜନସାଧାରଣଙ୍କ ସହଭାଗିତା ବୃଦ୍ଧି କରିବା ଏବଂ ସରକାରୀ ସେବାଗୁଡ଼ିକର ସଠିକ୍ ପରିଚାଳନା ନିଶ୍ଚିତ କରିବା ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକର ପ୍ରଦର୍ଶନ କରାଯାଇଥିଲା।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ବରିଷ୍ଠ ଅଧିକାରୀ, କର୍ମଚାରୀ, ଅଙ୍ଗନବାଡ଼ି ଓ ଆଶାକର୍ମୀମାନେ ଯୋଗଦେଇ ନିଜ ନିଜ କ୍ଷେତ୍ରରେ କିଭଳି ଅଧିକ ସଫଳତା ହାସଲ କରାଯାଇପାରିବ, ସେ ନେଇ ପରାମର୍ଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଶେଷରେ, ବଲାଙ୍ଗୀର ଜିଲ୍ଲାକୁ ସମସ୍ତ କ୍ଷେତ୍ରରେ ଆଗେଇ ନେବା ଏବଂ ଏକ ସମୃଦ୍ଧ ତଥା ସନ୍ତୁଳିତ ବିକାଶ ଧାରା ବଜାୟ ରଖିବା ପାଇଁ ସମସ୍ତ ପ୍ରତିନିଧି ଓ ଅଧିକାରୀମାନେ ମିଳିତ ସଂକଳ୍ପବଦ୍ଧତା ପ୍ରକାଶ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଶ୍ରମ ବିଭାଗ ପକ୍ଷରୁ ମୃତ୍ୟୁକାଳୀନ ସହାୟତା ରାଶି ବାବଦକୁ ୨ ଜଣ ସ୍ଵର୍ଗୀୟଙ୍କ ପରିବାର ବର୍ଗକୁ ୩ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ସେହିପରି ବିବାହ ସହାୟତା ରାଶି ବାବଦକୁ ୫ ଜଣ ହିତାଧିକାରୀମାନଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ୧୦ ଜଣ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ ପ୍ରଦାନ କରାଯାଇଥିଲା । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅଧୀନରେ ୪ ଜଣ ଛାତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଜୈବିକ ସାର ଉତ୍ପାଦନ କରୁଥିବା ୨ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ସମ୍ମାନିତ କରାଯାଇଥିଲା । ସେହିପରି ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ପ୍ରଦାନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ