
ସମ୍ବଲପୁର, ୨୫, ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ଗୁରୁବାର ଅପରାହ୍ନ ୨ଟାରେ ଚାଷ କାର୍ଯ୍ୟକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଂଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କୁ ଆବଶ୍ୟକ ସମୟରେ ଏବଂ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଣ ସୁନିଶ୍ଚିତ କରିବା ନେଇ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଚାଷୀମାନଙ୍କ ପାଇଁ ସାରର କୌଣସି ଅଭାବ ନ ହେବା ସହ ସେମାନେ ନିର୍ଦ୍ଧାରିତ ମୂଲ୍ୟରେ ସାର ପାଇପାରିବେ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଚାଷୀଙ୍କ ସୁବିଧା, କୃଷି କାର୍ଯ୍ୟର ସୁଚାରୁ ପରିଚାଳନା ଏବଂ ଚାଷ ସମ୍ପର୍କିତ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିଭାଗୀୟ ଅଧିକାରୀମାନେ କୃଷି କାର୍ଯ୍ୟର ବର୍ତମାନ ସ୍ଥିତି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ