ଜଳ ଜୀବନ ମିଶନ ଓ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର ପ୍ରଗତି ସମୀକ୍ଷା
ଭୁବନେଶ୍ୱର, ୨୫ ଜୁନ୍ (ହି.ସ.) - କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ଅଶୋକ କେ. କେ. ମୀନା ଗୁରୁବାର ଓଡ଼ିଶା ଗସ୍ତରେ ଆସି ରାଜ୍ୟରେ ଜଳ ଜୀବନ ମିଶନ ଓ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର କାର୍ଯ୍ୟାନ୍ୱୟନର ଅଗ୍ରଗତି ସମୀକ୍ଷା କରିଛନ୍ତି। ସମୀକ୍ଷା ବ
ଜଳ ଜୀବନ ମିଶନ ଓ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର ପ୍ରଗତି ସମୀକ୍ଷା


ଭୁବନେଶ୍ୱର, ୨୫ ଜୁନ୍ (ହି.ସ.) - କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ଅଶୋକ କେ. କେ. ମୀନା ଗୁରୁବାର ଓଡ଼ିଶା ଗସ୍ତରେ ଆସି ରାଜ୍ୟରେ ଜଳ ଜୀବନ ମିଶନ ଓ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର କାର୍ଯ୍ୟାନ୍ୱୟନର ଅଗ୍ରଗତି ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଶ୍ରୀ ମୀନା ଜଳ ଜୀବନ ମିଶନରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଗତିର ପ୍ରଶଂସା କରିଥିଲେ। ଜାତୀୟ ଜଳ ଜୀବନ ମିଶନର ଉଦ୍ଦେଶ୍ୟ ଓ ପ୍ରାଥମିକତା ଅନୁରୂପ ରାଜ୍ୟ ସରକାର କାର୍ଯ୍ୟ କରୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

ଦୀର୍ଘମିଆଦି ଭାବେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସୁଚାରୁ ପରିଚାଳନା ଓ ରକ୍ଷଣାବେକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ଗ୍ରାମ ପଂଚାୟତଗୁଡ଼ିକୁ ଅଧିକ ସଶକ୍ତ କରିବା, କେନ୍ଦ୍ର ସରକାରଙ୍କର 'ଜଳ ଅର୍ପଣ' କାର୍ଯ୍ୟକ୍ରମ ମାଧ୍ୟମରେ ଜଳ ଯୋଗାଣ ଭିତିଭୂମିଗୁଡିକର ପରିଚାଳନା ଦାୟିତ୍ୱକୁ ଶୀଘ୍ର ଗ୍ରାମ ପଂଚଞ୍ଚାୟତ ଓ ଗ୍ରାମ ଜଳ ଓ ପରିମଳ ସମିତି ଙ୍କୁ ହସ୍ତାନ୍ତର କରିବା ଏବଂ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅଧୀନରେ ଆନୁସଙ୍ଗିକ ସୁବିଧା ସୃଷ୍ଟିକୁ ଅଗ୍ରାଧିକାର ଦେବା ସହ ଅଧିକରୁ ଅଧିକ ଗ୍ରାମକୁ ଓଡିଏଫ ପ୍ଲସ ମଡେଲ ମାନ୍ୟତା ହାସଲ ଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।

ଗସ୍ତ ଅବସରରେ ଶ୍ରୀ ମୀନା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ସାକ୍ଷାତ କରି ରାଜ୍ୟରେ ଜଳ ଜୀବନ ମିଶନ ଏବଂ ସ୍ୱଚ୍ଛ ଭାରତ ମିଶନର କାର୍ଯ୍ୟାନ୍ୱୟନ, ଅଗ୍ରଗତି ଏବଂ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସମୀକ୍ଷା ବୈଠକ ପରେ ସେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-କମ୍-ସଚିବ ଗିରିଶ ଏସ୍. ଏନ୍., ପାନୀୟ ଜଳ ଓ ପରିମଳ ମିଶନ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜଙ୍କ ସହ ପୁରୀ ଜିଲ୍ଲାର ବିଭିନ୍ନ ପାଇପ ଜଳଯୋଗାଣ ପ୍ରକଳ୍ପ ପରିଦର୍ଶନ କରି କ୍ଷେତ୍ରସ୍ତରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଥିଲେ।

ପିପିଲି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଂଚାୟତର ଲୋହାପୁର ପାଇପ ଜଳଯୋଗାଣ ପ୍ରକଳ୍ପ ଓ ଯଶୁଆପୁର ଗ୍ରାମପଂଚାୟତର ସୁବଳପୁର ପ୍ରକଳ୍ପ ପରିଦର୍ଶନ କରିଥିଲେ। ପ୍ରକଳ୍ପଗୁଡ଼ିକର ଭିତିଭୂମିର ଗୁଣବତା ଦେଖି କ୍ଷେତ୍ରସ୍ତରୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ସ୍ଥାନୀୟ ଲୋକଙ୍କ ସହ ମତବିନିମୟ କରି ପ୍ରକଳ୍ପର ସୁଫଳ ଓ ଏହାର ପ୍ରଭାବ ସମ୍ପର୍କରେ ସିଧାସଳଖ ମତାମତ ମଧ୍ୟ ସଂଗ୍ରହ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande