
ପୁରୀ, ୨୫ ଜୁନ୍ (ହି.ସ.)- ଗୁରୁବାର ପବିତ୍ର ଋକ୍ମିଣୀ ହରଣ ଏକାଦଶୀରେ ଶ୍ରୀମନ୍ଦିରରେ ଋକ୍ମିଣୀଙ୍କୁ ବିବାହ କରିଛନ୍ତି ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଏବଂ ମନ୍ଦିର ଭିତରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ, ଗୁରୁବାର ସକାଳୁ ଶ୍ରୀଜୀଉଙ୍କ ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି, ଅବକାଶ, ଗୋପାଳ ବଲ୍ଲଭ ନୀତି ସମ୍ପନ୍ନ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଛି । ଏହାପରେ ଭୋଗମଣ୍ଡପ ଉଠିବା ପରେ ଋକ୍ମିଣୀ ବିବାହ ନୀତିକାନ୍ତି ସମ୍ପନ୍ନ ହୋଇଛି । ସକାଳଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରେ ଶ୍ରୀମଦନମୋହନଙ୍କୁ ଶ୍ରୀକୃଷ୍ଣ ବେଶରେ ସଜ୍ଜିତ କରାଯାଇଥିଲା । ପରେ ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ନୀତିକାନ୍ତି କରାଯାଇ ସଂଧ୍ୟାରେ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସହ ଦେବୀ ଋକ୍ମିଣୀଙ୍କ ବିବାହ ନୀତି ସମାପିତ ହୋଇଛି । ଏହି ଅବସରରେ ସିଂହଦ୍ୱାର ସମ୍ମୁଖରେ ତେଲିଙ୍ଗି ବାଜା, ଯୋଡ଼ି ଶଂଖ ଓ ମହୁରୀର ସୁରିଲା ସ୍ୱରରେ ପରିବେଶ ଗୁଞ୍ଜରିତ ହୋଇଉଠିଛି । ଏହି ଦିବ୍ୟ ବିବାହ ଉତ୍ସବ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଅନ୍ୟ ଏକ ନିଦର୍ଶନ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ