
ଗଞ୍ଜାମ, ୨୫ ଜୁନ୍ (ହି.ସ.)- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଅଙ୍କୋରଡା ଛକରେ ଆଜି ପୂର୍ବାହ୍ନରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ଦ୍ୱୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ଏଥିସହ ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ସ୍କୁଟିକୁ ପୋଲିସ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।
ଦୁର୍ଘଟଣାରେ ସ୍କୁଟି ଚାଳକ ପାଟପୁର ଗ୍ରାମର କାଳିଆ ସ୍ୱାଇଁ ଏବଂ ବାଇକ୍ ଚାଳକ ଚୁଡ଼ଙ୍ଗପୁର ଗ୍ରାମର ଶିବରାମ ସେଠୀଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍ ପଛରେ ବସିଥିବା ସମିର ସେଠୀ ଗୁରୁତର ଆହତ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ